Unknown

 

 

 

 

 

 

 

 

 

କପିଳାସ

ଶ୍ରୀ ଗୌରହରି ପଣ୍ଡା

 

ମୁଖବନ୍ଧ

 

ଢେଙ୍କାନାଳର ପର୍ବତମାନଙ୍କ ମଧ୍ୟରେ ପୁରାଣ-ପ୍ରସିଦ୍ଧ କପିଳାସ ସର୍ବୋଚ୍ଚ । ଏହାର ଉଚ୍ଚତା ୨୨୯୮ ଫୁଟ । ଏହି ଗିରିର ମେଖଳ ପ୍ରଦେଶରେ ଚନ୍ଦ୍ରଶେଖର ଶିବମନ୍ଦିର ବିଦ୍ୟମାନ । ସ୍ୱଚ୍ଛ-ସ୍ୱଲିଳା ଗିରି-ନିର୍ଝରିଣୀ ଝରଝର ନାଦରେ ନିତ୍ୟ ବହମାନ । ନାନାବିଧ ବନ୍ୟ ବୃକ୍ଷଲତା-ପ୍ରକୃତି ଶୋଭାସମ୍ପାଦନରେ ନିୟୋଜିତ । ଆମ୍ର, ବକୁଳ, ଅଶୋକ, ତମାଳ ଓ ଚମ୍ପକ ପ୍ରଭୃତି ଫଳପୁଷ୍ପ-ଶୋଭିତ ତରୁରାଜିରେ ସ୍ଥାନଟି ସୁଶ୍ରୀ-ବିମଣ୍ଡିତ । ଦର୍ଶକ ଏହି ପବିତ୍ର ପୀଠରେ ପଦାପର୍ଣ କଲେ ପ୍ରକୃତିର ରମଣୀୟ ଦୃଶ୍ୟାବଳୀ ଦର୍ଶନରେ ଅଭିଭୂତ ହୋଇଯିବା ସୁନିଶ୍ଚିତ ।

‘‘ସ୍ପଟିକ ପାବଚ୍ଛ ପରାଏ ସେ ଶୈଳେ ଶୋଭେ କଳନାଦୀ ଝର,

ରକ୍ତାଶୋକ କୁଞ୍ଜେ ବିରାଜନ୍ତି ଯାର ମେଖଳେ ଚନ୍ଦ୍ରଶେଖର ।’’

ଏହି କପିଳାସ ଯଥାର୍ଥରେ ରମଣୀୟ ଦେବଦୁର୍ଲ୍ଲଭ ତାପସସେବିତ ପୁଣ୍ୟମୟ ଧାମ । ଉତ୍କଳର ପ୍ରାଚୀନ ନରପତିମାନେ ଏହି ପବିତ୍ରପୀଠରେ ଦେବାଳୟ, ମଠ ପ୍ରଭୃତି ନିର୍ମାଣ କରି ଅକ୍ଷୟ କୀର୍ତ୍ତି ରଖି ଯାଇଅଛନ୍ତି । କେତେ ସାଧୁ, ସାଧକ ଏଠାରେ ସାଧନାପୀଠ ରଚନା କରି ସଫଳକାମ ହୋଇ ପାରିଛନ୍ତି । ବ୍ରହ୍ମଚାରୀ ମଠ, ବଳରାମ ଦାଶ ମଠ ଓ ରାମଦାସ ମଠ ଏହାର ଜ୍ୱଳନ୍ତ ନିଦର୍ଶନ । ବ୍ରହ୍ମଚାରୀ ମଠରେ ଶ୍ରୀମଦ୍‌ ଶଙ୍କରାଚାର୍ଯ୍ୟଙ୍କର ଶିଷ୍ୟ ରାମକୃଷ୍ଣ ନନ୍ଦ ଓ ତଦୀୟ ଶିଷ୍ୟ ଶ୍ରୀଧର ସ୍ୱାମୀ ଅବସ୍ଥାନ କରିବା ପୁରୀ ଗୋବର୍ଦ୍ଧନ ମଠର ‘‘ଗୁରୁ ତ୍ରମାମ୍ନାୟ’’ ପୁସ୍ତକରେ ଲିପିବଦ୍ଧ ହୋଇଅଛି । ସ୍ୱାମୀ ଶ୍ରୀଧର ବ୍ରହ୍ମଚାରୀ ମଠରେ କପିଳାସର ପାର୍ବତୀଙ୍କ ପାଖରେ ଥିବା ନୃସିଂହ ମୂର୍ତ୍ତିର ଉପାସନା କରୁଥିଲେ ଏବଂ ସେହି ନୃସିଂହଙ୍କର ମନ୍ତ୍ର (ମନ୍ତ୍ରରାଜ) ପୁରଶ୍ଚରଣ କରି ସଂସ୍କୃତ ଭାଗବତ, ଗୀତା ଓ ବିଷ୍ଣୁପୁରାଣ ପ୍ରଭୃତିର ଟୀକା ରଚନା କରିଥିଲେ । କେତେକ ଐତିହାସିକ ଘଟଣାକୁ କେନ୍ଦ୍ରକରି କପିଳାସ ଲିଖିତ । ସର୍ବସାଧାରଣଙ୍କର ଅବଗତି ନିମନ୍ତେ ସେହି ଐତିହାସିକ ଘଟଣାବଳୀର ସଂକ୍ଷିପ୍ତ ସୂଚନା ପ୍ରଦତ୍ତ ହେଲା ।

କୋଦାଳକ–ଢେଙ୍କାନାଳର ପର୍ଜଙ୍ଗ ଥାନାରେ କୁଆଳୋ ଗ୍ରାମ । ଏହା ଏକ ପ୍ରାଚୀନ ଜନପଦ । ପୂର୍ବେ ଏହାର ନାମ ଥିଲା କୋଦାଳକ ନଗର । ଏହା ପ୍ରସିଦ୍ଧ ସ୍ତମ୍ଭ ବଂଶୀୟ ରାଜାମାନଙ୍କର ରାଜଧାନୀ ।

ସ୍ତମ୍ଭବଂଶ–ସ୍ତମ୍ଭବଂଶ ପ୍ରାଚୀନ ଶୋଲାକୀ ବଂଶର ଗୋଟିଏ ଶାଖା । ଏମାନେ ରାଜସ୍ଥାନର ପ୍ରସିଦ୍ଧ କ୍ଷତ୍ରିୟ ବଂଶଧର । ସ୍ତମ୍ଭମାନେ ନିଜ ବାହୁବଳରେ ଗଡ଼ଜାତ ଅଞ୍ଚଳର ଅନାର୍ଯ୍ୟ ରାଜାମାନଙ୍କୁ ଯୁଦ୍ଧରେ ପରାସ୍ତ କରି ଏକ ବୃହତ୍ତର ରାଜ୍ୟ ଗଠନ କରିଥିଲେ । କେନ୍ଦୁଝର, ପାଲଲହଡ଼ା, ତାଳଚେର, ଅନୁଗୋଳ ଓ ଢେଙ୍କାନାଳ ପ୍ରଭୃତି ରାଜ୍ୟମାନଙ୍କର ଅନେକାଂଶକୁ ନେଇ ସ୍ତମ୍ଭରାଜ୍ୟ ଗଠିତ ହୋଇଥିଲା । କୋଦାଳକ ନଗରରେ ଏହି ସ୍ତମ୍ଭସଭ୍ୟତା ପ୍ରାୟ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ଥିଲା । ଏହି ବଂଶରେ କାଞ୍ଚନସ୍ତମ୍ଭ, କୁଳସ୍ତମ୍ଭ, ରଣସ୍ତମ୍ଭ, କହଳସ୍ତମ୍ଭ ଓ ନିଦୟସ୍ତମ୍ଭ ନାମରେ ପ୍ରଧାନତଃ ପାଞ୍ଚଜଣ ରାଜାଙ୍କର ଇତିହାସ ତାମ୍ରଶାସନ (Copper Plate)ରୁ ସଂଗୃହୀତ ହୋଇଅଛି । ସ୍ତମ୍ଭମାନେ ଶୈବ । ବର୍ତ୍ତମାନ ମଧ୍ୟ କୁଆଳୋ ଗ୍ରାମରେ ଅଗଣିତ ଭଗ୍ନ ଶିବ ମୂର୍ତ୍ତି ଓ ଶିବ ମନ୍ଦିରର ଭଗ୍ନାବଶେଷ ଇତଃସ୍ତତଃ ଦେଖିବାକୁ ମିଳେ ।

ରଣସ୍ତମ୍ଭ ଓ ରଣେଶ୍ୱର ମନ୍ଦିର–ଏହି ବଂଶର ତୃତୀୟ ରାଜା ରଣସ୍ତମ୍ଭ ବ୍ରାହ୍ମଣୀତୀରବର୍ତ୍ତୀ ରଣେଶ୍ୱର ଶିବ ମନ୍ଦିର ନିର୍ମାଣ କରିଥିଲେ । ଏହି ଭଗ୍ନାବଶେଷ ଶିବ ମନ୍ଦିର ସ୍ତମ୍ଭରାଜ୍ୟର ମୂକସାକ୍ଷୀରୂପେ ବର୍ତ୍ତମାନ ସୁଦ୍ଧା ବିଦ୍ୟମାନ।

ଭୀମ ନଗରୀ ବା ଭୀମନଗ୍ରୀ–ରଣେଶ୍ୱର ଶିବ ମନ୍ଦିରର ପୂର୍ବ ଦିଗରେ ବ୍ରାହ୍ମଣୀ କୂଳରେ ପ୍ରାଚୀନ ଭୀମନଗ୍ରୀ ଗଡ଼ । କେଶରୀ ଓ ଗଙ୍ଗ ବଂଶୀ ରାଜାମାନଙ୍କର ଏହି ସୁଦୃଢ଼ ଦୁର୍ଗ ଥିଲା, ଓଡ଼ିଶା ରାଜ୍ୟର ପଶ୍ଚିମ ସୀମା । ମାଦଳା ପାଞ୍ଜିରେ ଏହାର ନାମ ଭୀମନଗ୍ରୀ ଦଣ୍ଡପାଟ । ଗଙ୍ଗବଂଶୀ ରାଜାମାନଙ୍କର ଅଷ୍ଟ ଦଣ୍ଡପାଟ ମଧ୍ୟରୁ ଭୀମନଗ୍ରୀ ଦଣ୍ଡପାଟ ସବୁଠାରୁ ବଡ଼, ପୁରୁଣା ଆଉ ସୁନ୍ଦର । ଗଜପତି ଅନଙ୍ଗଭୀମ ଯୁବରାଜ ଅବସ୍ଥାରେ ଏହି ଦୁର୍ଗରେ ଥାଇ ବହୁରାଜ୍ୟ ଜୟ କରିଥିଲେ ।

ରାମଚଣ୍ଡୀ–ଭୀମ ନଗରୀ ଗଡ଼ର ଠିକ୍‌ ପୂର୍ବ ଦିଗରେ ବ୍ରାହ୍ମଣୀନଦୀ କୂଳରେ ପ୍ରସିଦ୍ଧ ରାମଚଣ୍ଡୀ ମନ୍ଦିର । ରାମଚନ୍ଦ୍ର ବନବାସ କାଳରେ ବ୍ରାହ୍ମଣୀ କୂଳରେ ଶିବଙ୍କୁ ପୂଜା କରି ଏହି ଚଣ୍ଡୀ ମୂର୍ତ୍ତି ସ୍ଥାପନ କରିଥିଲେ । ତେଣୁ ତାଙ୍କର ନାମ ରାମଚଣ୍ଡୀ ।

ଅନଙ୍ଗଭୀମ ଦେବ–ଗଜପତି ମଦନ ମହାଦେବଙ୍କର ପୁତ୍ର ଅନଙ୍ଗଭୀମ ଏହି ଦୁର୍ଗରେ ରହି ଓଡ଼ିଶାର ପଶ୍ଚିମାଞ୍ଚଳକୁ ରକ୍ଷା କରୁଥିଲେ ଏବଂ ରାଜ୍ୟପରେ ରାଜ୍ୟ ଜୟକରି ନିଜର ସାମ୍ରାଜ୍ୟ ବୃଦ୍ଧି କରୁଥିଲେ । ସ୍ତମ୍ଭବଂଶର ଶେଷରାଜା ନିଦୟ ସ୍ତମ୍ଭଙ୍କ ସହିତ ଏହାଙ୍କର ତୁମୁଳ ସଂଗ୍ରାମ ହୋଇଥିଲା । ଏହି ଯୁଦ୍ଧରେ ନିଦୟ ସ୍ତମ୍ଭ ନିହତ ହେଲେ । ସ୍ତମ୍ଭରାଜ୍ୟ ଉପଯୁକ୍ତ ଉତ୍ତରାଧିକାରୀ ଅଭାବରୁ ଶତ୍ରୁକରଗତ ହେବାର ଦେଖି କୋଦାଳକ ଦଣ୍ଡପାଟର ରାଜଭକ୍ତ-ତଥା ଦେଶଭକ୍ତ ବ୍ରାହ୍ମଣମାନେ ଶତ୍ରୁ ସହିତ ଯୁଦ୍ଧ ଚଳାଇଥିଲେ । ଏହି ଯୁଦ୍ଧରେ ଯୁବରାଜ ଅନଙ୍ଗଭୀମ ଦେବ ବ୍ରାହ୍ମଣସେନାଙ୍କୁ ନିର୍ଦ୍ଦୟଭାବରେ ହତ୍ୟା କରିଥିଲେ ଏବଂ ରକ୍ତରଞ୍ଜିତ ଖଡ୍‍ଗକୁ ଭୀମନଗ୍ରୀ ନିକଟବର୍ତ୍ତୀ ପୁଷ୍କରିଣୀରେ ଧୌତ କରିଥିଲେ । ଏହି କୃଶକଳେବରା ‘ଖଣ୍ଡାଧୋଆ’ ପୁଷ୍କରିଣୀ ଅଦ୍ୟାପି ବିଦ୍ୟମାନ । ଏଠାରେ ଯେଉଁ ବ୍ରାହ୍ମଣମାନେ ଯୁଦ୍ଧରେ ହତ ହୋଇଥିଲେ ସେମାନଙ୍କର ପଇତାର ଓଜନ ବାରବିଶା ହୋଇଥିଲା ବୋଲି କିମ୍ବଦନ୍ତୀ ପ୍ରଚଳିତ ।

ଏହି ଯୁଦ୍ଧର ଅବସାନ ପରେ ଅନଙ୍ଗଭୀମଙ୍କର ସମରପିପାସାର ଇତିଶ୍ରୀ ହେଲା । ପ୍ରାଣରେ ଗଭୀର ଅନୁତାପ ଆସିଲା । ବ୍ରହ୍ମହତ୍ୟା ପାପରୁ ମୁକ୍ତିଲାଭ କରିବା ନିମନ୍ତେ ସେ କପିଳାସରେ ଶିବ ଆରାଧନା କରିଥିଲେ । ଅନଙ୍ଗଭୀମ ଦେବ କପିଳାସରେ ଥିବା ସମୟରେ ତଦୀୟ ସେନାପତି ବିଷ୍ଣୁ ସାମନ୍ତରାୟ ପୁରପଲ୍ଲୀ ଭ୍ରମଣ କରି ପ୍ରଜାବର୍ଗର ସୁଖ ସୁବିଧା ଦେଖିବା ପାଇଁ ଆଦିଷ୍ଟ ହୋଇଥିଲେ । କପିଳାସର ବିଲଙ୍କା ରାଜାଙ୍କ ସହିତ ଏହାଙ୍କର ଯୁଦ୍ଧ ହୋଇଥିଲା ।

ବିଲଙ୍କାଗଡ଼–କପିଳାସ ପାହାଡ଼ର ଶିଖର ଦେଶରେ ଭଗ୍ନାବଶେଷ ପ୍ରାଚୀନ ବିଲଙ୍କାଗଡ଼-। ଏହାର ଚତୁଃପାର୍ଶ୍ୱରେ ପ୍ରାଚୀନ ଶିଳାରାଶି ସ୍ତୂପୀକୃତ ଭାବରେ ଇତଃସ୍ତତଃ ବିକ୍ଷିପ୍ତ । ପର୍ବତ ଗାତ୍ରରେ ଖୋଦିତ ନିର୍ଜନ ଗଡ଼ଖାଇ ଅଦ୍ୟାପି ବିଦ୍ୟମାନ । ଶବରରାଜା ବିଲଙ୍କାର ଏହା ରାଜଧାନୀ ଥିଲା ।

ଚିନ୍ତାପତରୀ–ଚିନ୍ତାପତରୀ କପିଳାସ ଚନ୍ଦ୍ରଶେଖର ଶିବଙ୍କର ସେବାଧିକାରୀ । ବିଲଙ୍କା ଶବର ରାଜାର ବଂଶଧର । ପୁରୀ ଜଗନ୍ନାଥଙ୍କର ଦୁହିତାପତି ଜାତିପରି ଏହି ଚିନ୍ତାପତରୀ ପୂଜାରୀ ଓଡ଼ିଶାର ଅନ୍ୟତ୍ର ଦେଖିବାକୁ ମିଳନ୍ତି ନାହିଁ ।

ଲେଖକ

Image

 

ପ୍ରଥମ ସର୍ଗ

 

ଗଙ୍ଗବଂଶ ଅବତଂସ ବୀରେନ୍ଦ୍ର ମଦନ-

ମହାଦେବ ଗଜପତି କୂଳ ବିମଣ୍ଡନ ।

ଜଗନ୍ନାଥ ସେବାଧର୍ମ ଆଦର୍ଶ ପାଳନେ

ଶାସୁଥିଲେ ବସୁନ୍ଧରା ପ୍ରକୃତି ରଞ୍ଜନେ ।

ଓଡ଼ିଶୀ ସଭ୍ୟତା ନିର୍ଦ୍ଦେଶକ ଓଡ଼ିଶାର

ବିଶ୍ୱମୈତ୍ରୀ ଜଗନ୍ନାଥ ଧର୍ମ ଯାର ସାର ।

ଆଦିମ ବୈଦିକ ଧର୍ମ ଏକ କଳେବର

ଜଗତ୍‌ ବନ୍ଧୁ ବିଜେ ଯହିଁ ଶ୍ରୀ ନୀଳକନ୍ଦର ।

ଭାରତ ଦର୍ଶନାକାଶେ ଶାକ୍ୟ ତପୋଧନ

ଜ୍ଞାନପ୍ରଭା ପ୍ରକାଶିଲେ ଯେସନେ ତପନ ।

ନର ହୃଦେ ବିଭାସିଲା ବିଶ୍ୱମୈତ୍ରୀ ଜ୍ଞାନ

ବାସନା କାମନା ସର୍ବ ଦୁଃଖର ନିଦାନ ।

ଯାହାର ନାଶନେ ଜୀବ ଲଭଇ ନିର୍ବାଣ

ସ୍ୱାର୍ଥ ତ୍ୟାଗେ ଶାଶ୍ୱତର ମିଳଇ ସନ୍ଧାନ ।

ଭାରତେ ଅହିଂସା ଧର୍ମ ଲଭି ଅଭ୍ୟୁଦୟ

ଦେଶ ଦେଶାନ୍ତର କ୍ରମେ କରିଲା ବିଜୟ ।

‘କୈବଲ୍ୟ’ ସଙ୍କେତ ଦିଏ ଅହିଂସା ଦର୍ଶନ

ଜଗନ୍ନାଥ ଧାମ ସର୍ବ ଧର୍ମର ମିଳନ ।

ଦ୍ରାବିଡ଼ ଧର୍ମ ପ୍ରତୀକ ଶ୍ରୀ ନୀଳମାଧବ

ଶବରର ପୂଜ୍ୟ ସତ୍ୟ ଧର୍ମର ବିଭବ ।

ବିଦ୍ୟାପତି ବ୍ରାହ୍ମଣର ବ୍ରହ୍ମମୟ ମୂର୍ତ୍ତି

ନୁହେ ଦାରୁ ପତିତର ବନ୍ଧୁ ବିଶ୍ୱମୂର୍ତ୍ତି ।

ବୈଦିକ ବ୍ରାହ୍ମଣ ଧର୍ମ ବିଷ୍ଣୁ ଜଗନ୍ନାଥ

ମାଳବର ଇନ୍ଦ୍ରଦ୍ୟୁମ୍ନ-ନରନାଥ ନାଥ ।

*କ୍ଷେମ ଦତ୍ତ ଶାକ୍ୟମୁନି ବୁଦ୍ଧ ବାମ ଦନ୍ତ

ଯେ ବିଗ୍ରହେ ସୁରକ୍ଷଣ କଲେ ବ୍ରହ୍ମଦତ୍ତ ।

ସେ ବିଗ୍ରହେ ଉଜ୍ଜ୍ୱଳଇ ବୁଦ୍ଧ ଶୁଦ୍ଧ ଜ୍ଞାନ

ଜଗନ୍ନାଥ ଭାରତୀୟ ଧର୍ମର ପ୍ରମାଣ ।

କ୍ରମେ ଶାକ୍ୟ ଜ୍ଞାନ ପ୍ରଭା ଭଜିଲା ବିଲୟ

ପୂର୍ଣ୍ଣତା ଘଟିଲେ ଶଶଧର ହୁଏ କ୍ଷୟ ।

କାଳର କରାଳ ଗ୍ରାସେ ହୋଇଣ ଭକ୍ଷିତ

ଛିନ୍ନାଭ୍ର ନ୍ୟାୟ ଭାରତ ଗଗନେ ପତିତ ।

*କାପାଳିକ ଧର୍ମପାଳି ଶତ ଶତ ଯତି

ଭିକ୍ଷୁ ଭିକାରିଣୀ ବେଶେ ରଚି ଅପକୀର୍ତ୍ତି ।

 

*

କ୍ଷେମ–ବୁଦ୍ଧ ଶିଷ୍ୟ କ୍ଷେମ କୁଶି ନଗର ବୁଦ୍ଧ ଚିତାରୁ ବୁଦ୍ଧଙ୍କର ବାମ ପାଖର ବିଷଦନ୍ତଟି ଆଣି କଳିଙ୍ଗ ରାଜା ବ୍ରହ୍ମଦତ୍ତଙ୍କୁ ଦେଇଥିଲେ । ଜଗନ୍ନାଥ ବିଗ୍ରହରେ ଏହି ଦନ୍ତ ରକ୍ଷିତ ।

*

କାପାଳିକ–ଭ୍ରଷ୍ଟ ବୌଦ୍ଧ ସନ୍ନ୍ୟାସୀ ।

 

ତନ୍ତ୍ର ଧର୍ମେ ବିଭୀଷିକା ସୃଜି ସମାଜର

ମେରୁଦଣ୍ଡ କୀଟରୂପେ ଦଂଶି ନିରନ୍ତର ।

ତନ୍ତ୍ର ମନ୍ତ୍ର ଶିକ୍ଷା ଦୀକ୍ଷା ଧରି ବୌଦ୍ଧ ଯତି

ହଠ ଯୋଗ ରଚି ଆକର୍ଷନ୍ତି ଲୋକମତି ।

ସରଳା ରମଣୀଗଣ ଚିତ୍ତକୁ ଭୁଲାଇ

କାପାଳିକ ଧର୍ମ ଟେକ ଦିଅନ୍ତି ବୁଝାଇ ।

ଗ୍ରାମକୁ ନଗରେ କ୍ରମେ ହୋଇଲା ପ୍ରଚାର

କାପାଳିକ ଯତି ଶ୍ରେଣୀ ଅଦ୍ଭୁତ ବ୍ୟାପାର ।

ଦିନୁଁ ଦିନ କାପାଳିକ ଶ୍ରଦ୍ଧା ଅନ୍ତଃପୁରେ

ବଢ଼ିଲା ଯେସନେ ନଦୀ ଧାରା ଶ୍ରାବଣରେ ।

ସ୍ୱପୁର ବାର୍ତ୍ତାରେ ନୃପ ହୋଇଲେ ବିଷର୍ଣ୍ଣ

ବିଷାଦ କାଳିମା ମୁଖ କରିଲା ଆଚ୍ଛନ୍ନ ।

ଅନ୍ତରେ ବାନ୍ଧିଲେ ମାତ୍ର ନବୀନ ସାହସ

କାପାଳିକ ଯତି ପ୍ରଭା କରିବେ ବିନାଶ ।

ବିଷାଦ ଅନ୍ତରେ ଚାପି ସହାସ୍ୟ ବଦନେ

ପୁଚ୍ଛିଲେ ରାଜନ ସର୍ବ ମହିଷୀ ରତନେ ।

ହୀନ କାପାଳିକେ କିପାଁ ଶରଧା ତୁମ୍ଭର

ସମ୍ମାନ ନ ଘେନ ତିଳେ ପୂଜ୍ୟ ବ୍ରାହ୍ମଣର ।

କର୍ମଜ୍ଞାନ ଭକ୍ତି ମୁକ୍ତି ଶିକ୍ଷା ସରଣୀରେ

ଚଳାଏ ସମାଜ ବିପ୍ର ଆଦର୍ଶ ରୀତିରେ ।

ସେ ଆଦର୍ଶ ଫିଙ୍ଗି କର କାପାଳିକେ ଶ୍ରଦ୍ଧା

ତେଣୁ ମୋ ହୃଦୟ ହୁଏ ବିଦୀର୍ଣ୍ଣ ଶତଧା ।

ବୌଦ୍ଧ ଯତି ଗୁଣ ରାଣୀ କରିଲେ ବର୍ଣ୍ଣନ

ଚକ୍ଷୁ କର୍ଣ୍ଣର ବିବାଦ କରିଛି ଖଣ୍ଡନ ।

ଅଦ୍ଭୁତ ଶକ୍ତି ମଣ୍ଡିତ ବୌଦ୍ଧଭିକ୍ଷୁଗଣ

ଅବହେଳେ ଅସାଧ୍ୟକୁ କରନ୍ତି ସାଧନ ।

ଅଲୌକିକ ଦ୍ୱିଜଶକ୍ତି ଜନ ଆକର୍ଷଣ

ଦେଖିବାତ ଦୂରେ କେବେ ଶୁଣି ନାହିଁ କର୍ଣ୍ଣ ।

‘ପ୍ରତ୍ୟକ୍ଷ ପ୍ରମାଣ ଯଦି ଦେଖିବୁ ଆଖିରେ

ଉଚ୍ଚ ନୀଚ ଜଣାଯିବ ଯଥାର୍ଥ ବିଧିରେ’ ।

ବାଢ଼ିଲେ ପ୍ରସ୍ତାବ ରାଜା ରାଜପ୍ରାସାଦରେ

ହେବ ସାଧାରଣ ସଭା ସର୍ବ ସମ୍ମୁଖରେ ।

ବ୍ରାହ୍ମଣ ପଣ୍ଡିତ ବୌଦ୍ଧ ଯତି ସେ ସଭାରେ

ପରୀକ୍ଷିତ ହେବେ ଯଥା ସ୍ୱର୍ଣ୍ଣ ଅନଳରେ ।

ଗୋପନେ କଳସେ ରଖାହେବ ନାଗସର୍ପ

ଯେ କହି ନ ପାରେ ତାର ଖର୍ବ ହେବ ଦର୍ପ ।

କଟକ ଅଦୂରେ ରାଜେ ବଣି ବକ୍ରେଶ୍ୱର

ଯମୁନା ଝାଡ଼ଗଡ଼ଯା ପ୍ରଶସ୍ତି ସୁନ୍ଦର ।

ଆରାଗଡ଼ ଧଉଳିର ପାହାଡ଼ ଗୁମ୍ଫାରେ

କାପାଳିକେ ନିମନ୍ତ୍ରିତ ଯଥାବିଧାନରେ ।

ରାଜ ପୁରୋହିତ ମୁକ୍ତି ମଣ୍ଡପ ପଣ୍ଡିତ-

ସହ ରାଜସଭା ହେଲା ନବରେ ମଣ୍ଡିତ ।

ଆବୃତ୍ତ କଳସୀ ରାଜା ସଭା ସମ୍ମୁଖରେ

ରଖି ପୁଚ୍ଛିଲେ ଯତିଙ୍କୁ ‘କି କହ ଭିତରେ ?’

ମନ୍ତ୍ର ଯୋଗେ ‘ନାଗସର୍ପ’ ଯତି ଦେଲେ କହି

ରାଣୀମାନଙ୍କ ଉଲ୍ଲାସ-ନଦୀ ଗଲା ବହି ।

ଉଦ୍ଦାମ ଉଲ୍ଲାସେ ହେଲା ତାଳି ବରଷଣ

ଜିତିଲେ ରାଣୀଏ, ଛାମୁଁ ହୋଇଲେ ମଉନ ।

ବ୍ରାହ୍ମଣ ପଣ୍ଡିତେ ପୁଚ୍ଛା କଲେ ଅନନ୍ତର

କି ଅଛି କଳସ ମଧ୍ୟେ ହେ ଦ୍ୱିଜପ୍ରବର !

ଧ୍ୟାନ ନିମିଳିତ ଚିତ୍ତେ ବ୍ରାହ୍ମଣ ଭାଷିଲେ

ନାହିଁ ସର୍ପ, ଅଛି ଭସ୍ମ, ଶ୍ରୀ ଛାମୁ ହସିଲେ ।

ସରବ ସମ୍ମୁଖେ ମୁକ୍ତ ହେଲା ଆବରଣ

କଳସ ମଧ୍ୟରେ ମାତ୍ର ଭସ୍ମ ବିଦ୍ୟମାନ ।

କଠୋର ଆଦେଶ ରାଜା କରିଲେ ଘୋଷଣା

ବୌଦ୍ଧ ଭିକ୍ଷୁ ମୁଣ୍ଡ ଚୂନା ଫଳ ପ୍ରତାରଣା ।

ଧନ ରତ୍ନ ଗାଆଁ ଗଣ୍ଡା ଲଭି ପୁରସ୍କୃତ

ଚଳିଲେ ବ୍ରାହ୍ମଣେ ହୋଇ ସର୍ବତ୍ର ଆଦୃତ ।

ରାଜାଙ୍କ କଠୋର ଦଣ୍ଡାଦେଶରେ କାତର

ହୋଇ ଈର୍ଷ୍ୟାଗ୍ନି ଜଳିଲା ରାଣୀଙ୍କ ଅନ୍ତର ।

କ୍ରମେ କାପାଳିକ ପ୍ରଭା ହେଲା ଅବସାନ

ରାଜ୍ୟ ବିଜୟେ ମାତିଲେ ମଦନ ରାଜନ ।

ପଶ୍ଚିମ ଦୁର୍ଦ୍ଧର୍ଷ ଶକ୍ତି ରୋଧିବାର ପାଇଁ

ଯୁବରାଜ ଅନଙ୍ଗକୁ ଦେଲେ ପଠିଆଇ ।

ଭୀମନଗ୍ରୀ ଗଡ଼େ ଯାଇ ରହିଲେ କୁମାର

ବ୍ରାହ୍ମଣୀ କ୍ଷାଳିତ କରେ ପୟର ଯାହାର ।

ଅଦୂର ପଶ୍ଚିମେ ରଣେଶ୍ୱର ମହାଦେବ

ରଣପ୍ରିୟ ରଣସ୍ତମ୍ଭ ଅଧିଷ୍ଠାତା ଦେବ ।

ସ୍ତମ୍ଭ ଶକ୍ତି ମହୀୟସୀ କୋଦାଳ ନଗ୍ରରେ

ବିଜୟ ଚିରାଳ ଉଡ଼େ ରାଜପ୍ରାସାଦରେ ।

ଅଜେୟ ସ୍ତମ୍ଭ ଗୌରବ ଅନଙ୍ଗ କର୍ଣ୍ଣରେ

ପଡ଼ି ଉଷ୍ଣ ରକ୍ତ ବହିଗଲା ଧମନୀରେ ।

ସ୍ତମ୍ଭ ଗଙ୍ଗ ସଂଘର୍ଷଣ ହେଲା ବହୁବାର

ସ୍ତମ୍ଭ ଶକ୍ତି ପରାଜୟ କଲା ଅଙ୍ଗୀକାର ।

ଦେବ ରାଜଭକ୍ତ ସ୍ତମ୍ଭ ରାଜ୍ୟର ବ୍ରାହ୍ମଣ

ବିଚାରିଲେ ଶତ୍ରୁ ସଙ୍ଗେ କରିବାକୁ ରଣ ।

ଚଣ୍ଡୀ ପାଠେ ରତ ହେଲେ ବିଜୟ ଆଶାରେ

*କନକ ଈଶ୍ୱର ସେବା କଲେ ନିରାହାରେ ।

ପୂଜାକଲେ ରଣେଶ୍ୱର ବିବିଧ ସମ୍ଭାରେ

ସ୍ତମ୍ଭରାଜ୍ୟେ ରଣ ସଜା ହେବ ପୁନର୍ବାରେ ।

ମନ୍ଦିର ପ୍ରାଙ୍ଗଣ ରାମଚଣ୍ଡୀ ରଣେଶ୍ୱର

ପୂଜା ବାଦ୍ୟ ନାଦେ ହେଲା ସତତ ମୁଖର ।

ପ୍ରଭାତେ ଦ୍ୱିଜବାହିନୀ ବିଜୟ ଗର୍ବରେ

ଯୁଦ୍ଧ ଯାତ୍ରା ଆରମ୍ଭିବେ ଶୁଭ ଲଗନରେ ।

ସ୍ତମ୍ଭ ପୁରୋହିତ ସର୍ବ ବ୍ରାହ୍ମଣ ସଇନ

ମସ୍ତକେ ସିନ୍ଦୂର ବିନ୍ଦୁ କରିବେ ଭୂଷଣ ।

ରାଜ ପୁରୋଧା ହୋଇବେ ଯୁଦ୍ଧେ ସେନାପତି

ଚଣ୍ଡୀଙ୍କ ମୁଠା ହୁକୁମ ମିଳିଛି ସଂପ୍ରତି ।

ଗୁପ୍ତଚର ମୁଖୁ ବାର୍ତ୍ତା କରିଣ ଶ୍ରବଣ

କାତର ହେଲେ ଅନଙ୍ଗ କରିବାକୁ ରଣ ।

ବ୍ରାହ୍ମଣ ଅବଧ୍ୟ, ପୂଜ୍ୟ, ମଦନ ଶାସନେ

କେମନ୍ତେ ଯୁଝିବେ ଚିନ୍ତାକଲେ ମନେ ମନେ ।

 

*

କନକେଶ୍ୱର–ଭୀମନଗ୍ରୀ ଗଡ଼ର ପୂର୍ବକୁ ପ୍ରାଚୀନ ରାମଚଣ୍ଡୀ ମନ୍ଦିର ଓ ରାମଚଣ୍ଡୀ ମନ୍ଦିରର ପୂର୍ବକୁ କନକେଶ୍ୱର ଶିବ ମନ୍ଦିର ବ୍ରାହ୍ମଣୀ ନଦୀ କୂଳରେ ବିଦ୍ୟମାନ ।

 

 

ପୁତ୍ର ମୁଖୁଁ ଶୁଣି ବାର୍ତ୍ତା ହସି ଭାବେ ରାଣୀ

ସୁଯୋଗ ଅଇଲା ଦେଖାଇବି ମୋ କରଣୀ ।

ଯେ ରାଜା ଆଦେଶେ ଯତି ମସ୍ତକ ପେଷଣ

ସେ ରାଣୀ ଆଦେଶେ ହେବେ ବ୍ରାହ୍ମଣ ନିଧନ ।

ସମ୍ବୋଧି ରାଜକୁମାରେ ଗଙ୍ଗ ପାଟରାଣୀ

ଅନଙ୍ଗେ ଶୁଣାଇ ଦେଲେ ଏ ଅଭୟ ବାଣୀ ।

ପ୍ରଭାତ ପୂର୍ବରୁ କାଲି ଅରାତି ବିଜୟ

କରି ଦ୍ୱିଜଶକ୍ତି କର ଆଶୁ ଅପଚୟ ।

କ୍ଷାତ୍ରୋଚିତ୍ତ ଧର୍ମ ପାଳି ସ୍ୱବଂଶ ଗୌରବ

ଅରାତି ମର୍ଦ୍ଦିତ ଯଶ ବିତରୁ ସୌରଭ ।

ବିରାଟ ଦ୍ୱିଜ ବାହିନୀ ସମର ସମ୍ଭାର

ଦେଖି ଚିନ୍ତାଧାରା ଫୁଟେ କପୋଳେ କୁମାର !

ଦିଅ ତୋର ଅସି ଗଙ୍ଗ ପାଟରାଣୀ କରେ

ଦେଖିବ ସେ ରଣଚଣ୍ଡୀ କି କରେ ସମରେ ।

ଦୁର୍ଦ୍ଧର୍ଷ ଅନଙ୍ଗ ପ୍ରାଣେ ଜନନୀ ନିର୍ଦ୍ଦେଶ

ଅନଳେ ଇନ୍ଧନସମ ସ୍ୱତଃ ପରବେଶ ।

ନିଶୀ ଶେଷ ଯାମେ ସର୍ବ ଅନଙ୍ଗ-ବାହିନୀ

ଆକ୍ରମିଲେ ଅତର୍କିତେ ବ୍ରାହ୍ମଣ ସଇନି ।

ପ୍ରଚଣ୍ଡ ଦ୍ୱିଜ ବାହିନୀ ଦେଶ ମାତୃକାର

ସ୍ୱାଧୀନତା ରକ୍ଷା ପାଇଁ ହୋଇଲେ ବାହାର ।

ରଚିଲେ କଠୋର ରଣ ପ୍ରାଣ କରି ପଣ

ଲଢ଼ିବେ କେତେ ବା ଯୁଦ୍ଧେ ସାତ୍ତ୍ୱିକ ବ୍ରାହ୍ମଣ ।

ଅନଙ୍ଗ ଭୀଷଣ ରଣେ ବ୍ରାହ୍ମଣ ସକଳେ

ଅନଳେ ପତଙ୍ଗ ସମ ପଡ଼ିଲେ ଭୂତଳେ ।

କ୍ଷୁଦ୍ର ‘ଖଣ୍ଡାଧୋଆ’ ବନ୍ଧ ସାକ୍ଷୀ ଏ ଯୁଦ୍ଧର

ବ୍ରାହ୍ମଣ ରକ୍ତେ ରଂଜିତ ଯାର କଳେବର ।

ଯୁଦ୍ଧହତ ବ୍ରାହ୍ମଣଙ୍କ ଯଜ୍ଞ ଉପବୀତ

‘ବାରବିଶା’ ଓଜନ ଏ କଥାଟି ଜୀବିତ ।

ଭୀମନଗ୍ରୀ ଦୁର୍ଗେ ଗଙ୍ଗ ବିଜୟ କେତନ

ଉଡ଼ିଲା ଉତ୍‌ଫୁଲ୍ଲେ ହେଲା ଅରାତି ନିଧନ ।

ଅନଙ୍ଗ ବିଜୟ ବାର୍ତ୍ତା ଶୁଣି ଗଜପତି

ଡକାଇଲେ ଯୁବରାଜେ ମନେ ବହି ପ୍ରୀତି ।

ପୁତ୍ର ମୁଖୁଁ ଶୁଣି ଯୁଦ୍ଧ ଇତିହାସ କଥା

ଲଭିଲେ, ଅନ୍ତରେ ରାଜା ଅତିଶୟ ବ୍ୟଥା ।

ଭାବିଲେ, ‘ଅନଙ୍ଗ ତୋର ଅତୁଳ ସାହସ

ମହୀୟସୀ ସ୍ତମ୍ଭ ଶକ୍ତି କରିଲୁ ବିନାଶ ।

କୋଦାଳକ ଦଣ୍ଡପାଟେ ଯେ କୀର୍ତ୍ତି ଭାସ୍ୱର

ପ୍ରଜ୍ୱଳିତ କରୁଥିଲା ସଭ୍ୟତା ଆର୍ଯ୍ୟର ।

ଶତ ଶତ ଦେବାଳୟ ରାଜେ ଯେ ନଗ୍ରରେ

ବେଦମନ୍ତ୍ରେ ମୁଖରିତ ଥିଲା ନିରନ୍ତରେ ।

କାମ୍ୟ ଯେ ରାଜାର ଥିଲା ପ୍ରକୃତି ରଞ୍ଜନ

ରାଜା ଲାଗି ପ୍ରାଣ ଦେଲେ ଯେ ଦେଶ ବ୍ରାହ୍ମଣ ।

ସେ ବ୍ରାହ୍ମଣ ହୃଦ ଅତି ମହୀୟାନ ଜାଣ

ରାଜପୁତ୍ର ହୋଇ ବିନାଶିଲୁ ତାଙ୍କ ପ୍ରାଣ ।

ବ୍ରହ୍ମହତ୍ୟା ମହାପାପେ ହେଲୁ କଳୁଷିତ

ପୂଜ୍ୟ ପୂଜା ବ୍ୟତିକ୍ରମ ନୋହେ କ୍ଷାତ୍ରୋଚିତ ।

ପତିତ ଜନର ବନ୍ଧୁ ପ୍ରଭୁ ଜଗନ୍ନାଥ

ଚରଣେ ଶରଣ ନିଅ ନାହିଁ ଆନ ପଥ ।

ପିତୃ ଉପଦେଶ ବାଣୀ ଯୁବରାଜ ମନ

ଉଦ୍‌ବେଳିତ କଲା ସିନ୍ଧୁ ବତାସେ ଯେସନ ।

ଭାବନା ତରଙ୍ଗ ରାଶି ଉଠି ଘନ ଘନ

ଧଇର୍ଯ୍ୟ ସାହସ କୂଳ କରିଲା ଲଙ୍ଘନ ।

ରମ୍ୟ ରାଜପୁରୀ ନିକାଞ୍ଚନ ଉପବନ

ଶାନ୍ତିମୟୀ ରାଜବଧୂ ରୂପସୀ ରତନ ।

ଚିତ୍ତ ବିନୋଦନ କାର୍ଯ୍ୟେ ଥିଲେ ଯେ ତତ୍ପର

ଆଜି ଉପେକ୍ଷିତା ସର୍ବେ ହେଲେ ଅନଙ୍ଗର ।

‘‘ମହୀୟାନ ଗଙ୍ଗଯଶ ଚନ୍ଦ୍ରରେ କଳଙ୍କ

ବ୍ରହ୍ମହତ୍ୟା ମୋର କୃତି ବିଷମ ପାତକ ।

ଯାବତ ଥିବେ ଗଗନେ ତାରକା ତପନ

ଘୋଷୁଥିବ ମୋ ଅକୀର୍ତ୍ତି ମୋ ଦେଶ ପବନ ।

ଯେ ଦେଶ ଗୌରବ ବାନା ନୀଳଚକ୍ର ପରେ

ସେବା ଧର୍ମ ମନ୍ତ୍ର ଗାଇ ଉଡ଼ଇ ଅମ୍ବରେ ।

ଯେ ଦେଶର ଧୂଳିକଣା ପାବନ ମୋହନ

ଯେ ଦେଶେ ସକଳ ଧର୍ମ ନୀତିର ମିଳନ ।

ଫେନଚୂଡ଼ ମହୋଦଧି ତରଙ୍ଗ ଭୀଷଣ

ଯା ବେଳା ଭୂମି ପରଶେ ଲଭଇ ମଉନ ।

କୈବଲ୍ୟ କଣିକା ରଙ୍କ ଯେଉଁ ଦେଶ ଜନ

ସେ ଦେଶ ରାଜନ କଲା ପାତକ ଅର୍ଜନ ।’’

ଲୋତକ ଧାରା ନୟନୁ ହେଲା ବରଷଣ

କ୍ରମେ ଘୋର କାଳରାତ୍ରି କଲା ଆଗମନ ।

ନିଦ୍ରାଦେବୀ କୋଳେ ବିଶ୍ରମିଲେ ଯୁବାମଣି

ଦେଖିଲେ ଅଦ୍ଭୁତ ସ୍ୱପ୍ନ ବିଷଧର ଫଣୀ ।

ଶତ ଶତ ଗରଜନ୍ତି ଭୀଷଣ ଫୁତ୍କାରେ

ନ ଛୁଅନ୍ତି ନୃପ ଅଙ୍ଗ ପାତକ ଶଙ୍କାରେ ।

ବ୍ରହ୍ମହତ୍ୟା ପାପେ ଅଙ୍ଗ କଳୁଷିତ ଯାର

‘ଅସ୍ପୃଶ୍ୟ ସେ ଅଙ୍ଗ’ ଫଣୀ କରିଲେ ବିଚାର ।

ଏ ଭାବ ଭାବନା କଲା ବ୍ୟଥିତ ଅନ୍ତର

ଫଣୀ ଦଂଶନ ପୀଡ଼ାରୁ ହେଲା ଗୁରୁତର ।

ସୈନିକ ସାମନ୍ତ ପ୍ରେତ ବିଜୟ ଉନ୍ମାଦେ

ତପ୍ତ ଲୌହ ଦଣ୍ଡ, ଧରି ଉଭା ରାଜା ପାଦେ ।

‘ବିସ୍ତାର ବଦନ ରାଜା ଭରିବୁ ଏ ଦଣ୍ଡ

ଶ୍ରୀମୁଖ ଆଦେଶ ଥିଲା ବ୍ରାହ୍ମଣଙ୍କୁ ଦଣ୍ଡ ।’

ଅଗ୍ରେ ଉଭା ପ୍ରେତ-କୋଦାଳକ ସେନାପତି

ଶିରସ୍ତ୍ରାଣେ ତେଜ ବୀର୍ଯ୍ୟ ଯାର ଝଟକନ୍ତି ।

କରେ କରବାଳ ଶତ୍ରୁ ଶୋଣିତ ପିପାସୁ

ଉତ୍ସିଲେ, ‘ଅନଙ୍ଗ, ଦୂର ହୁଅ ମୋର ପାଶୁ’ ।

ପର ରାଜ୍ୟ ପର ଧନ ଲୁଣ୍ଠନେ ବିଜୟ

ପ୍ରଜା ପୀଡ଼ା ସାର-ନିଜ ଶକ୍ତି ଅପଚୟ ।

ପଡ଼ୋଶୀ ରାଜାଙ୍କୁ ସ୍ନେହ ମୈତ୍ରୀ ବନ୍ଧନରେ

ବାନ୍ଧିଲେ ବିକଶେ ଶକ୍ତି, -କାହୁଁ ବିଭେଦରେ ?

ଦୁଷ୍ଟ ନିବାରଣ ସନ୍ଥ ପାଳନଟି ଧର୍ମ

ସ୍ୱାର୍ଥରକ୍ଷାପାଇଁ ଅରଜିଲ ଅପକର୍ମ ।

ଅନୁତାପାନଳେ ଦଗ୍‌ଧ ହେଉ ତୋର ଚିତ୍ତ

ଏହା ତୋ ପାପର ଏକମାତ୍ର ପ୍ରାୟଶ୍ଚିତ ।

ପ୍ରେତଲୋକୁଁ ଦ୍ୱିଜ ପ୍ରେତ ଅଇଲେ ଓହ୍ଲାଇ

ସ୍ନେହ ସମ୍ଭାଷଣ କଲେ ଅନଙ୍ଗକୁ ଚାହିଁ ।

‘‘ନରେଶ କୁମାର କିପାଁ ବ୍ୟଥିତ ଅନ୍ତର

ପଞ୍ଚଭୂତର ଶରୀର ଅଟଇ ନଶ୍ୱର ।

ରହିନାହୁଁ ମର୍ତ୍ତ୍ୟେ ଆମ୍ଭେ, ତୁମ୍ଭେ ନରହିବ

କାଳର କରାଳ ପାଶ ଗଳାରେ ଲାଗିବ ।

ଧର୍ମାଧର୍ମ ବିଚାରକ ମନ୍ତ୍ରୀ ଚିତ୍ରଗୁପ୍ତ

ବିହିବ ନିଶ୍ଚେ ପାପର ଶାସ୍ତି ଉପଯୁକ୍ତ ।

ଶାନ୍ତି ମୈତ୍ରୀ ବ୍ରତଧାରୀ ସ୍ତମ୍ଭ ନରପତି

ସୁରଗଣ ସହ ଦିବ୍ୟ ଆସନେ ବସନ୍ତି ।

ପ୍ରକୃତି ରଞ୍ଜନ ଆର୍ଯ୍ୟ ସଂସ୍କୃତି ବିକାଶ

କୋଦାଳକ ନଗର ଯେ ଉତ୍କଳେ ଆଦର୍ଶ ।

ବାରାଣସୀରୁ ଆଗତ ଏହି ଦ୍ୱିଜଗଣ

ଶିକ୍ଷାରେ ଉଜ୍ଜ୍ୱଳୁଥିଲା ଯେ ଦେଶ ଶାସନ ।

ପଦେ ପଦେ ଏ ବ୍ରାହ୍ମଣ ଦେଇ ଉପଦେଶ

ସତ୍ପଥେ ଚଳାଉଥିଲା ସକଳ ନରେଶ ।

ରାଜସେ ସାତ୍ତ୍ୱିକ ଗୁଣ ଅପୂର୍ବ ମିଶ୍ରଣ

ଜାହ୍ନବୀ ଯମୁନା ଅବା ଏକତ୍ର ମିଳନ ।

ରାଜା ପ୍ରଜା ହୃଦ ପୀଠ ପବିତ୍ର ପ୍ରୟାଗ

ରାଜୁଥିଲା ଚିରଶାନ୍ତି ତୁଟାଇ ବିରାଗ ।

ଧରାଧାମେ ପ୍ଳାବୁଥିଲା ଶାନ୍ତିର ଜାହ୍ନବୀ

ନଥିଲା ଶୋଷଣ, ଯୁଦ୍ଧ ଦୁର୍ଭିକ୍ଷ ଭୈରବୀ ।

ରାମ ରାଜ୍ୟ ଥିଲା କୋଦାଳକ ଦଣ୍ଡପାଟ

ପ୍ରକୃତି ରଞ୍ଜନ ବ୍ରତୀ ସେ ସ୍ତମ୍ଭ ସମ୍ରାଟ–

ହାତେ ହାତ ମିଳାଇଣ ଚଳିଥାନ୍ତ ଯଦି

ବହୁଥାନ୍ତା ବେନି ଦେଶେ ଶାନ୍ତିମୟୀ ନଦୀ ।

ଅହଂକାର ମଦେ ଗୁରୁ ଗୌରବ ନମାନି

ବଧିଲ ବ୍ରାହ୍ମଣ ତେଣୁ ଆସେ ଆତ୍ମଗ୍ଳାନି ।

ଘେନ ଆଶୀର୍ବାଦ ବତ୍ସ, ତୁଟୁ ଅହଂକାର

ଜ୍ଞାନ ଦୀପ ଜାଳି ନାଶ ହୃଦ ଅନ୍ଧକାର ।

ଉତ୍କଳେ ଭାସ୍ୱର କୀର୍ତ୍ତି ରଚ ଧନମଣି

ଦୁରିତ ନାଶିବେ ତୋର ଭକ୍ତଚିନ୍ତାମଣି ।

ଦେବେ ନବ ଆଶୀର୍ବାଦ ଲଭିବୁ ସୁନାମ

ଉତ୍କଳେ ପବିତ୍ର ପୀଠ କପିଳାସ ଧାମ ।

ଶବରର ପୂଜ୍ୟ ଶିବ ଶ୍ରୀ ଚନ୍ଦ୍ରଶେଖର

ନାଶିବେ ପାତକ ତାଙ୍କୁ ଆରାଧନା କର’’ ।

Image

 

ଦ୍ୱିତୀୟ ସର୍ଗ

 

ଅତଳ ସାଗର ପରଶି ସମୀର

ରଚି ଫେନଚୂଡ଼ ତରଙ୍ଗରାଜି

ଅନଙ୍ଗ ବିଜୟ ବାରତା ପ୍ରଚାରି

ବିଜୟ ଗରବେ ବହଇ ଆଜି ।

ସାଗର ବକ୍ଷରେ ସାଧବ ବୋଇତ

ଜାଭା ବାଲି ଦ୍ୱୀପେ ଚଞ୍ଚଳେ ଚଳେ

ବିଜୟୀ ରାଜ୍ୟର ବିଜୟ ଗୌରବ

ବିଞ୍ଚି ଦିଏ ରବି ଉଦୟାଚଳେ ।

ନଦୀରେ ନାଉରୀ ଗୀତ ଗାଇ ଗାଇ

ପରାଣ ପୁଲକେ ବାହଇ ନାଆ

କୋଦାଳକ ରାଜ୍ୟ       ଆସିଛନ୍ତି ଜିଣି

ଯୁବରାଜ ଭାବି ରାଇଜ ନାହା ।’

ବିଲେ ଗାଏ ଚଷା ବିଜୟ ଗୀତିକା

ପଥରେ ପଥିକ ଗ୍ରାମେ ଯୁବକ

ଅନଙ୍ଗଭୀମର ଗୌରବ ପତାକା

ଉଡ଼ୁଅଛି ଆଜି ସାରା ମୁଲକ ।

ନଗରେ ନଗରେ ନାଗରିକମାନେ

ରଚି ନାନାବିଧ ରମ୍ୟ ତୋରଣ

ବିଜୟ ସୂଚକ ଆଲୋକ ମାଳାରେ

ରଜନୀକୁ କରୁଥାନ୍ତି ମଣ୍ଡନ ।

ବିଜୟ ସଙ୍ଗୀତ ଗାନେ ବନ୍ଦୀଗଣ

ମୁଖରିତ କରୁଛନ୍ତି ନଗର

ନୀଳଚକ୍ର ବାନା ନ ଉଡ଼େ କିପାଁଇଁ

ବିଜୟ ଉଲ୍ଲାସେ ହୋଇ ପ୍ରଖର ।

ଭୀମନଗ୍ରୀ ଦୁର୍ଗ ରଣହତ ଦ୍ୱିଜ

କରୁଣ କାହାଣୀ ଘେନି ସମୀର

ଝାଉଁବନ ଭେଦି ମର ମର ଛନ୍ଦେ

ମରମ ପରଶେ ଯୁବରାଜର ।

ବିଜୟୀ ବୀର ଯେ ଆଜି ନିରାନନ୍ଦେ

ପଡ଼ିଛି ଦେଉଳେ କବାଟ କିଳି

ବ୍ରହ୍ମହତ୍ୟା ପାପ ମୋଚନ ପାଇଁ ସେ

ଠାକୁର ଚରଣେ କରଇ ଅଳି ।

ଅନଶନେ କ୍ଷୀଣ ହେଲାଣି ଶରୀର

ଦର୍ପ ଅଭିମାନ ଭଜିଲା ଲୟ

ବର୍ଦ୍ଧିତ ହେଲାଣି ଅନ୍ତର ଶକତି

ସମର ପିପାସା ହୋଇ ବିଲୟ ।

ବିଗତ ଜନ୍ମର ମହତ ସଂସ୍କାର

ପ୍ରଭାବେ ଫିଟିଲା ହୃଦ ଦୁଆର ।

ବିବେକ ବଳିତା ପ୍ରଜ୍ୱଳିତ ହୋଇ

ହରିଲା ଅଜ୍ଞାନ-ହୃଦ-ଅନ୍ଧାର ।

ନିଶୀ ଶେଷ ଯାମେ ଉଦ୍ଭାସିତ ହେଲା

ଦିବ୍ୟ ଆଲୋକରେ ବଡ଼ ଦେଉଳ ।

ଅଶରୀରୀ ବାଣୀ କହିଲା ‘ଅନଙ୍ଗ

କପିଳାସ ଧାମେ ଚଞ୍ଚଳେ ଚଳ ।

ବିଜନ ମୋହନ- ପବିତ୍ର ଶଇଳେ

ଶ୍ରୀଚନ୍ଦ୍ରଶେଖର ସେବାରେ ରତ

ହୋଇ ବ୍ରହ୍ମହତ୍ୟା ପାପୁଁ ହେବ ମୁକ୍ତ

ଶିବ ଆରାଧନା ଫଳ ମହତ

ଲଭି ଜଗନ୍ନାଥ ଆଦେଶ ଚଳିଲେ

ବନ୍ଦି ପିତା ମାତା ପଦ୍ମଚରଣ

ସାଥେ ସେନାପତି       ସଇନ ସାମନ୍ତ

ଗଲେ ତେଜି ଅଙ୍ଗୁ ବୀର ଭୂଷଣ ।

ସମର ଅନଳେ ପ୍ରାଣ କରି ପଣ

ଲଢ଼ୁଥିଲେ ଯେହୁ ରଣ ଅଙ୍ଗନେ

ଶୀତଳ ହୋଇଛି ସେ ଦେହ ରକତ

ଯୁବରାଜ ଶାନ୍ତି ଭାବ ଦର୍ଶନେ ।

ରାଜସିକ ଗୁଣ ବିଲୀନ ହୋଇଲା

ସାତ୍ତ୍ୱିକ ବୈରାଗ୍ୟ ମହାଭାବରେ

କ୍ଷୁଦ୍ର ନଦୀ ଯଥା ନିଜ ରୂପ ତେଜେ

ସାଗର ସଙ୍ଗମେ ମହା ମୋଦରେ ।

ଗ୍ରାମ ନଗ୍ର ନଦୀ ବନ ଅତିକ୍ରମି

ଚାଲନ୍ତି ସରବେ ନାହିଁ ବିରାମ

ସଂସାର ବନ୍ଧନ ଶିଥିଳ ଭଜିଲା

ଲକ୍ଷ୍ୟ ହେଲା କପିଳାସର ଧାମ ।

କ୍ରମେ ଶାନ୍ତି ସେନା ବହୁଦିନ ପରେ

ବିଶ୍ରମିଲେ ଆସି ଦେବ ଗାଆଁରେ

ପରାଣ ପୁଲକେ ନାଚିଲେ ସକଳେ

ଗାଇ ଗାଇ ‘ଜୟ ଚନ୍ଦ୍ର ଶେଖରେ’ ।

ଶଙ୍କର ପୂଜକ ସେବକ ଗହଣେ

ଅତିକ୍ରମି ଗିରି ଦୁର୍ଗମ ପଥ

ଶଇଳ ମେଖଳ ମଣ୍ଡିତ ଶ୍ରୀଚନ୍ଦ୍ର-

ଶେଖର ସନ୍ନିଧେ ସେ ଉପଗତ ।

ଯୁବରାଜ ଆଜି ଆନନ୍ଦେ ଅଧୀର

ସ୍ୱର୍ଗ ସୁମନ କି ଧରିଲେ କରେ

କଠୋର ସାଧନା ଆଚରି ତାପସ

ହୃଷ୍ଟ ହୁଏ ଯଥା ଇଷ୍ଟ ଲାଭରେ ।

ବିଜନ ପାବନ କପିଳାସ ଧାମ

ଋଷିଜନ ସେବ୍ୟ ଦେବ ମୋହନ

ଶାନ୍ତି ସୁଧା ବାରି ଝରାଇ ହରିଲା

ପଥଶ୍ରାନ୍ତ ପଥିକର ପରାଣ ।

Image

 

ତୃତୀୟ ସର୍ଗ

 

ପାବନ ମୋହନ ବିଜନ

କପିଳାସ କନ୍ଦର

ଦର୍ଶନେ ଝରିଲା କୁମାର

ହୃଦେ ଶାନ୍ତି ନିର୍ଝର ।

ଅପସରି ଗଲା ହୃଦରୁ

ଗୁରୁ ଚିନ୍ତା ସକଳ

ବଦନ କମଳ ଦିଶିଲା

ଚାହୁଁ ଚାହୁଁ ଉଜ୍ଜ୍ୱଳ ।

ବିଜନ ପ୍ରଶାନ୍ତ ପ୍ରକୃତି

ରମ୍ୟ ଗିରି କାନନ

ଧରି ନାନା ବେଶ ମୋହିଲେ

ଯୁବ ରାଜନ ମନ ।

ମଧୁ ନିନାଦିନୀ ଝରଣା

ପିନ୍ଧି ଶୁଭ୍ର ବସନ

ନୀରସ ଉପଳ-ଶଯ୍ୟାରେ

ରଚେ ପ୍ରେମାଲିଙ୍ଗନ ।

ତୀରରେ *ବଂଜୁଳ ମଂଜୁଳ

ଗୁଚ୍ଛ କଳିକା ଧରି

ଝର ଦରପଣେ ସ୍ୱମୁଖ

ଦେଖି ଉଠଇ ଥରି ।

କଣ୍ଟକ ଦୁର୍ଗରୁ କେତକୀ

ଟେକି ମଥା ଉନ୍ନତ

ଝରଣା ସଲିଳେ ତା ଛବି

ଦେଖେ ଦୂରେ ବିମ୍ବିତ ।

ପୁଗ, ନାରୀକେଳ, ରସାଳ

ଫଳଭାରେ ବିନୀତ

ନିଜ ଆଦରଣ ସମ୍ମୁଖେ

ଦେଖି ଗୌରବାନ୍ୱିତ ।

କୋଳରେ ତମାଳ କୋକିଳ

ଧରି ତଳକୁ ଚାହେଁ

ନିର୍ଝର ତରଙ୍ଗେ ଦେଖଇ

ପିକ ସଙ୍ଗୀତ ଗାଏ ।

ଝରି ପଡ଼ୁଛି କି ସ୍ୱରଗୁଁ

ସୁଧା ଝରଣା ବାରି

ଝଲକି ଉଠଇ ତେଣୁ ବା

ଏହି କାନନ ଶିରୀ ।

ଚିତ୍ତ ବିମୋହନ ଏ ବନେ

ଶାନ୍ତି ଶାନ୍ତି କୁଟୀରେ

ଅପର୍ଣ୍ଣା ପାର୍ବତୀ ରୂପେ କି

ଶିବ ପୂଜେ ଭକ୍ତିରେ ।

ବିଜନତା ବାଳା ଶରଧା

ବହି ଉମା ତପରେ

ବିଜନ ବେଷ୍ଟନୀ ରଚିଲା

ଅବା କପିଳାସରେ ।

ଯୁବରାଜ ପ୍ରତି ଫୁଟିଲା

ବିଭୁ କରୁଣା କଳି

ଲଭିଲେ କି ସତେ ସଂକଳ୍ପ

ଆଶା ଆଶାରୁ ବଳି ।

ଚଉଦିଗୁଁ ଉଠେ ଉତ୍ତାଳ

ଛନ୍ଦ ସ୍ୱର ଲହର

ସାଧନା ଶୃଙ୍ଖଳା ପ୍ରଗତି–

ହେତୁ କରେ ପ୍ରଚାର ।

ଦିବ୍ୟାନନ୍ଦ ଭାବେ ବିଭାସେ

ନର କ୍ଷୁଦ୍ର ମାନସ

ସ୍ନିଗ୍‌ଧ ଚନ୍ଦ୍ରକରେ ପ୍ରକୃତି

ଯଥା ଲଭେ ହରଷ ।

 

*

ବଂଜୁଳ–ଅଶୋକ

Image

 

ଚତୁର୍ଥ ସର୍ଗ

 

ନଗରୁ କାନ୍ତାର ବିପନ କୁଟୀର

ପ୍ରଚାରିତ ହୋଇଗଲା ସତ୍ୱର

ଆସିଛନ୍ତି ରାଜ- ପତି ଯୁବରାଜ

ନିରାଜନା ଆଶେ ଶିଖରେଶ୍ୱର ।

ବୃଦ୍ଧ ବ୍ରହ୍ମଚାରୀ ମନ୍ଦିର ଚାଳକ

ଏ ବାର୍ତ୍ତା ଶ୍ରବଣେ ପୁଲକ ବହି

ଅତିଥି ସତ୍କାରେ ରାଜ ଯାତ୍ରୀଦଳେ

ଶାନ୍ତି ସରିତରେ ଦେଲେ ଭସାଇ ।

ବିଶ୍ରାମାନ୍ତେ, ବୃଦ୍ଧ କୁମାରମଣିଙ୍କୁ

ଉତ୍ତରିଲେ ପୃଷ୍ଟ ହୋଇଲେ ଯାହା

ଭାବନ୍ତି କୁମାର ବିଜନ କାନ୍ତାରେ

ଏ କି ଇତିବୃତ୍ତ ଜ୍ୱଳନ୍ତରାହା ।

ଭାଷନ୍ତି କୁମାର ଏ ପୀଠ ମହିମା

ଶୁଣିବାକୁ ମୋର ବଳଇ ଚିତ୍ତ

ବର୍ଣ୍ଣନା କରନ୍ତୁ ମନ୍ଦିର ପ୍ରାଙ୍ଗଣ

ଯହିଁ ଇତିହାସ ସ୍ମୃତି ଜଡ଼ିତ ।

ପୁରାଣ ପ୍ରସିଦ୍ଧ ଏ ପୀଠ ମହିମା

ଦେବେ ଅଗୋଚର ମାନବ ଛାର

ବୁଝିବ ବା କାହୁଁ ବୁଝିଛନ୍ତି ସେହି

ଶିବ ଅନୁଗ୍ରହ ଅଛି ଯାହାର ।

ତପନ ବଂଶିକ ରାଜା ସଉଦାସ

ମହାପାପ ପଙ୍କେ ହୋଇ ଜଡ଼ିତ

ଶିବ ସେବି ଏହି ଧାମେ ବତ୍ସରାନ୍ତେ

ହୋଇ ପାରିଥିଲେ ପାପୁଁ ବଞ୍ଚିତ ।

ତପ ଅନୁକୂଳ ଏ ବିଜନ ବନେ

ମହର୍ଷି କପିଳ ଯୋଗ ସାଧନ

କରି ଜ୍ଞାନ ନେତ୍ରେ       ଚାହିଁଲେ ଭାରତେ

ଯାର ଅବଦାନ ସାଂଖ୍ୟ ଦର୍ଶନ ।

ଏ ଗିରି ଶିଖର ଅପର ପାରୁଶେ

କେନ୍ଦୁପାଣି ଗୁମ୍ପା ଶୋହେ ବିଜନେ

ଦେବ ଇନ୍ଦୁ ପାଣି ଆଶ୍ରିଥିଲେ ଏଥି

ଶିବ ସ୍ୱରୋଦୟ ଯୋଗସାଧନେ ।

ଲଙ୍କା ଅଭିଯାନ ମାର୍ଗରେ ଏ ଧାମେ

ଶ୍ରୀରାମ ଶିବଙ୍କୁ କରି ପୂଜନ

ଶକ୍ତି ପୂଜା କଲେ ରାବଣ ବିନାଶ

ଦୈବ ବାଣୀ କଲା ହୃଦ ସ୍ପନ୍ଦନ ।

ବ୍ରାହ୍ମଣୀ ଶୋଭିନୀ       କମଣ୍ଡଳଠାରେ

ଶକ୍ତି ପୂଜା ପାଇଁ ଚଣ୍ଡୀ ସ୍ଥାପନ

ଦଶ କଣ୍ଠ ମୌଳି ଦଶ ଦିଗ ପାଳେ

ବିତରିବା ପାଇଁ ବଳାଇ ମନ ।

ରାମ ସ୍ମୃତି ଧରି ରାମଚଣ୍ଡୀ ମୂର୍ତ୍ତି

ପ୍ରତ୍ୟକ୍ଷ ଦେବତା ରୂପେ ପୂଜିତ

ହିନ୍ଦୁ କଳା ଧ୍ୱଂସୀ କଳା ପାହାଡ଼କୁ

ଚାତୁରୀରେ ଯେହୁ କଲା ଲାଞ୍ଛିତ ।

ରବି ଉଦୟାସ୍ତ ନଦେଖି ନୟନେ

ଦିଗ ଭ୍ରମ ଉପୁଜାଉଛି ମନେ

ମନ୍ଦିରର ଦ୍ୱାର ପୂର୍ବ ଅଭିମୁଖୀ

ଧ୍ରୁବ ତାରାପରି ଦିଗ ବାରଣେ ।

ମନ୍ଦିର ଚୂଡ଼ାର ଦଧି ନଉତିରେ

*ଶିଳାଲିପି ଦେଖ ଊର୍ଦ୍ଧ୍ୱେ ରାଜଇ

ନରସିଂହ କୀର୍ତ୍ତି ବିଜନ ଶଇଳେ

ତୀର୍ଥବାସୀ ଜନେ ସାକ୍ଷ୍ୟ ଦିଅଇ ।

ପ୍ରତାପୀ ନୃସିଂହ ଦୁର୍ଗାଦେବୀ ଗର୍ଭ-

ଜାତ ଦିଗ୍‌ବିଜୟୀ ସେ ମହାବୀର

ଭାରତ ପୁରାଣ ଶ୍ରବଣାନନ୍ତର

ନିର୍ମିଥିଲେ ଏହି ମହା ମନ୍ଦିର ।

ମୋହନ ମଣ୍ଡପ ପାର୍ଶ୍ୱେ ପାକଶାଳା

ପଶ୍ଚିମରେ ଏହି ଜଳ ଆଧାର

ପାପ ବିନାଶିନୀ କୁଣ୍ଡନାମେ ଖ୍ୟାତ

ଦେଖ ତହିଁ ପଡ଼େ ନିର୍ଝର ଧାର ।

ପବିତ୍ର ସଲିଳା ଏ ପାପ ନାଶିନୀ

କୁଣ୍ଡେ ଅବଗାହି ସକଳଜନ

ରୋଗ ଶୋକ ନାଶି ଲଭନ୍ତି ବାଞ୍ଛିତ

ପରୀକ୍ଷିତ, ନୁହେଁ ଅତିରଞ୍ଜନ ।

ଝର୍ଝର ନାଦରେ ଲମ୍ଫ ଦେଇ ତଳେ

ଶତ ଶକ୍ରଚାପ ହୃଦୟହାର

କୁଟିଳ ଗାମିନୀ ଏ ଗିରି ଝରଣା

ଅଭିହିତ ‘ଭୀମ ଲଙ୍ଗଳଗାର’ ।

ବୃକ୍ଷଭାଧିଷ୍ଠିତ ମୋହନ ମଣ୍ଡପ

ପୟୋଽମୃତ କୁଣ୍ଡ ଦେଖ ଉତ୍ତରେ

ପରମ ପାବନ ମଧୁର ଏ ଜଳ

ଜଣାଟି ସକଳ ପଣ୍ଡିତ ବରେ ।

ଅଭ୍ରମିଶା ଜଳ ସ୍ୱାସ୍ଥ୍ୟ ଅନୁକୂଳ

ତୁଳନାର ଯୋଗ୍ୟ ଗଙ୍ଗା ଜଳରେ

ଏ ଜଳେ ତର୍ପଣ କଲେ ପିତୃଗଣ

ତୃପତି ଲଭନ୍ତି ପ୍ରେତ ଲୋକରେ ।

ଜଟାଜୂଟ ଭୂଷା ଅପର୍ଣ୍ଣା ପାର୍ବତୀ

କୁମାର ଗଣେଶ ଧରି ରାଜଇ

ତପସ୍ୟା କୁଶଳା ଗଙ୍ଗାମୂର୍ତ୍ତି ରୂପେ

କେହି କେହି ଭକ୍ତ ଜନ ପୂଜଇ ।

ମନ୍ଦିର ପ୍ରାଙ୍ଗଣ ଉତ୍ତରକୁ ବୃଦ୍ଧ

ପହଣ୍ଡ ମଣାଇ ଯୁବରାଜରେ

ମହିଷ ମର୍ଦ୍ଦିନୀ ଦୁର୍ଗାଦେବୀ ମୂର୍ତ୍ତି

ନିର୍ଦ୍ଦେଶ କରନ୍ତି କ୍ଷୁଦ୍ର ମନ୍ଦିରେ ।

ଉତ୍କଳ ଭାସ୍କର୍ଯ୍ୟ ଚାରୁ ଶିଳ୍ପ କଳା

ଏ ଶିଳା ବିଗ୍ରହେ ଉଠଇ ଫୁଟି

କୃଷ୍ଣ ପାଷାଣର ପାଷାଣ ବିଗ୍ରହ

ମୁଖେ ପ୍ରସନ୍ନତା ଉଠେ ଉକୁଟି ।

ତହୁଁ କିଛି ଦୂର ପଶ୍ଚିମକୁ ଚଳି

ଦେଖାଇଲେ ମହା ପୁଲକ ବହି

ନିଜ ଇଷ୍ଟଦେବ *ନୃସିଂହ ମୂର୍ତ୍ତି’ଯା

ଦରଶନେ ମହାଭାବ ଖେଳଇ ।

ଶଙ୍କର ପୀଠର ଗୋସ୍ୱାମୀ ଶ୍ରୀଧର

ମନ୍ତ୍ର ରାଜାଙ୍କର ପରସାଦରୁ

ଭାଗବତ ଟୀକା ରଚିଲେ ଯେ ଗ୍ରନ୍ଥ

ଭାରତର ଜ୍ଞାନ କଳପତରୁ ।

ଉପଳ ସୋପାନେ       ଆରୋହନ୍ତି ବୃଦ୍ଧ

ସେନାପତି ସାଥେ ରାଜକୁମାର

ଦୂର ନଦୀ ବିଲ ତଡ଼ାଗ କାନନ

ଶୋଭା ରାଶି ଦିଶେ ନିକଟତର ।

ଜିଜ୍ଞାସୁ ଯୁବାଙ୍କୁ ପରିଚୟ ଦାନେ

ଶୁକ୍ଳ ଶ୍ମଶ୍ରୁଭେଦି ବାକ୍ୟମୁକୁତା

କର୍ଣ୍ଣ ରସାୟନ ପରି ମଣୁଥାନ୍ତି

ଭୂରି ଭୋଜ୍ୟ ଯଥା ଲଭଇ ଭୋକ୍ତା ।

ନୟନାଭିରାମ ପଞ୍ଚବଟୀ ଦୃଶ୍ୟ

ଶ୍ରୀରାମ ଲକ୍ଷ୍ମଣେ ମୁନି କୌଶିକ

ଦେଖାଇଲା ପରି ଦେଖାଉ ଅଛନ୍ତି

ବୃଦ୍ଧ ବ୍ରହ୍ମଚାରୀ ଋଷି ପ୍ରତୀକ ।

ଉତ୍ତୁଙ୍ଗ ସୋପାନ ଅତିକ୍ରମି ଧୀରେ

ଉଚ୍ଚ ଗିରି ସାନୁ ହେଲେ ଆଶ୍ରିତ

ଦେଖାଇଲେ ମଣି- କର୍ଣ୍ଣିକା କୁଣ୍ଡ ଏ

ସର୍ବତୀର୍ଥ ଯାର ଅଙ୍ଗେ ଜଡ଼ିତ ।

ଦେଖୁଛ ସମ୍ମୁଖେ ରାଜେ ଯେ ମନ୍ଦିର

ଧରି ଚାରୁ ଶିଳ୍ପ କଳା ବିଭବ

କେଶରୀ କୀରତି ବିଜନ ଶଇଳେ

ବିଶ୍ୱନାଥ ଶିବ ଯହିଁ ସମ୍ଭବ ।

ମଣିକର୍ଣ୍ଣିକାରୁ ଏ ମନ୍ଦିର ଯାଏ

ବାରାଣସୀ କ୍ଷେତ୍ର ନାମେ ବିହିତ

କାଶୀଧାମ ଭୂଷା ଶ୍ରୀମଣିକର୍ଣ୍ଣିକା

ଶିବ ସେବିବାକୁ ଏଥି ରାଜିତ ।

ବିଜେ କର ବୀର ଏ ଦୀନ କୁଟୀରେ

ବ୍ରହ୍ମଚାରୀ ମଠ ତୋ ବଂଶ କୀର୍ତ୍ତି

ଜଣେ ଜଣେ ଦଣ୍ଡୀ ଗୋସ୍ୱାମୀ ରହନ୍ତି

ବଂଶ ପରଂପରା କ୍ରମେ ଏ ରୀତି ।

ଗଙ୍ଗ ବଂଶ ମହା ବୀର ଶ୍ରୀ ପ୍ରତାପ

ଭାନୁଦେବ ଏଥି ହୋଇ ମୋହିତ

ମନ୍ଦିରର ପରି- ଚାଳନା କଲ୍ୟାଣେ

ବହୁ ବୃତ୍ତିବାଡ଼ି କଲେ ପ୍ରଦତ୍ତ ।

ମନ୍ଦିରର ତତ୍ତ୍ୱ ଅବଧାରୀ ରୂପେ

ଗୋବର୍ଦ୍ଧନମଠ ଦକ୍ଷ ଗୋସ୍ୱାମୀ

ରାମକୃଷ୍ଣାନନ୍ଦ ଶୁଭ ଆଗମନ

ଯାହାଙ୍କର ଶିଷ୍ୟ ଶ୍ରୀଧରସ୍ୱାମୀ ।

ବିଜନ ପାବନ ଏ ସ୍ଥାନ ପ୍ରଭାବ

ସକଳ କଳୁଷ ନାଶେ ତତ୍‌ପର

ଘେନ ଆଶୀର୍ବାଦ ରଚି ଯଶ କୀର୍ତ୍ତି

ଉତ୍କଳ ଭୂମିରେ ହୁଅ ଅମର ।

ବୀର ତୁମ୍ଭେ ଯୁଦ୍ଧେ ବ୍ରାହ୍ମଣ ରକତେ

ରଞ୍ଜିତ କରିଛି ନିଷ୍ଠୁର କର

କୋମଳ ହୃଦୟେ ସାମ୍ୟ ମୈତ୍ରୀ ଜ୍ଞାନେ

କିଣ ହୃଦମନ ପ୍ରଜାପୁଞ୍ଜର ।

*

କମଣ୍ଡଳ–ପ୍ରାଚୀନ ବ୍ରାହ୍ମଣ-ଶାସନ-ବର୍ତ୍ତମାନ ନାମ କୋମୁଣ୍ଡଳୀ ।

*

ଶୀଳାଲିପି–ପ୍ରସ୍ତରରେ ଖୋଦିତ ଲେଖା ।

*

କପିଳାସର ଶ୍ରୀ ଚନ୍ଦ୍ରଶେଖର ଶିବଙ୍କର ଦେଉଳ ବେଢ଼ା ଭିତରେ ଦୁର୍ଗାଦେବୀଙ୍କ ନିକଟ ଲକ୍ଷ୍ମୀ ନୃସିଂହ ମୂର୍ତ୍ତି ଅଛନ୍ତି । ଶ୍ରୀଧର ସ୍ୱାମୀ ଏହି ଦେବତାଙ୍କୁ ପୂଜା କରୁଥିଲେ । ତାଙ୍କର ସବୁ ବହିରେ ଏହି ନୃସିଂହଙ୍କ କଥା ଲେଖିଛନ୍ତି ।

Image

 

ପଞ୍ଚମ ସର୍ଗ

 

କୁମାର ମଣି ମନରେ ଗୁଣି

ସେନାପତିଙ୍କି ପାଖକୁ ଡାକି

ବାଢ଼ିଲେ ଉପଦେଶ

ଗଜପତିର କୀରତି କଳା

ହେଳା ନ କର ଲେଶ ।

ପ୍ରଜା ପାଳନ ରାଜା ଧରମ

ସନ୍ଥ ପାଳନ ଦୁଷ୍ଟଂ ଦଳନ

ମନରେ ସଦା ହେଜି

ପୁର ପଲ୍ଲୀରେ ବିଲବନରେ

ଭ୍ରମ ଆଶଙ୍କା ତେଜି ।

କୋଷାଧିପକୁ ଡାକି ପାଶକୁ

କହିଲେ ଶୁଣ ସାଧୁ ବ୍ରାହ୍ମଣ

ଆର୍ତ୍ତ ଦୁଃଖିତ ଜନେ

ସେବାରେ ଅର୍ଥ ଦେବ ବହୁତ

ନ ବହି କୁଣ୍ଠା ମନେ ।

ଏ ପ୍ରାଣ ମନ ଶିବେ ଅର୍ପଣ

ସେ ହେଲେ ପ୍ରୀତ ପାପ ବଞ୍ଚିତ

ହୋଇ ତୁମ୍ଭର ସାଥେ

ଦେଶ ଭ୍ରମଣ କରି ଫେରିବା

ଶ୍ରୀ ନୀଳାଚଳ ପଥେ ।

Image

 

ଷଷ୍ଠ ସର୍ଗ

 

ପ୍ରଭାତ ଆଗମନୀ ମଧୁ ସଙ୍ଗୀତ

ପିକ କଜ୍ଜ୍ୱଳପାତୀ କଣ୍ଠ ଉତ୍‌ଥିତ ।

ସୁପ୍ତପ୍ରାଣେ ଢାଳିଲା ନବ ଚେତନା

ଜଡ଼ ପ୍ରାଣେ କି ଜାଗେ ବିଭୁକରୁଣା ।

ଭୃଗୁ ଭୃଗୁକୁ ଲମ୍ଫ ଦେଇ ନିର୍ଝର

ବହଇ ସୃଜି ପ୍ରତିଧ୍ୱନି କନ୍ଦର ।

ମହିମ୍ନ ସ୍ତବ ଅବା ଗମ୍ଭୀର ଛନ୍ଦେ

ଗାଇ ଗିରି ନନ୍ଦିନୀ ଶଙ୍କର ବନ୍ଦେ ।

କର୍ମମୟ ସଙ୍ଗୀତ ସାନ୍ଧ୍ର ନିନାଦ

ଶୁଣି ଆଳସ୍ୟ ଅବା ଗଣେ ପ୍ରମାଦ ।

ନିଦ୍ରା ଆଳସ୍ୟ କୋଳ ଯୁବରାଜନ

ତେଜି ପ୍ରାତଃ ସ୍ନାହାନେ କଲେ ଗମନ ।

ନିର୍ଝର ଜଳେ କଲେ ଅବଗାହନ

ନ ବଳେ ଚିତ୍ତ ସାରିବାକୁ ସ୍ନାହାନ ।

ଚକ୍ରବାକିନୀ ଚିତ୍ରଉତ୍ପଳା ନୀରେ

ସଙ୍ଗିନୀ ଗହଣରେ ସ୍ନାନ ବିଧିରେ ।

ବକ୍ର ଗାମିନୀ ବ୍ରାହ୍ମୀ ଶୀତଳ ନୀରେ

ନିତ୍ୟ ଅବଗାହିଲେ ଭୀମ ନଗ୍ରୀରେ ।

ଫେନଚୂଡ଼ ଲହରୀ ମହୋଦଧିରେ

ମନ ସନ୍ତୋଷେ ସ୍ନାନ ନାନା ବିଧିରେ ।

ନିର୍ଝର ସ୍ନାନେ ଅବସାଦ ନ ହେଲା

ଅଧିକ ସ୍ନାନ ଆଶେ ଚିତ୍ତ ବଳିଲା ।

ସନ୍ତୋଷେ ଅବଗାହି, ଶିବ ମନ୍ଦିରେ

ଚଳିଲେ ବ୍ରହ୍ମଚାରୀ ସାଥେ ସଧୀରେ ।

ଶିବ ଅର୍ଚ୍ଚନା ବାଦ୍ୟ ଗିରି କନ୍ଦର

ପ୍ରଭାତ ପୂର୍ବ କରିଦେଲା ମୁଖର ।

ରୁଦ୍ରାଭିଷେକେ ରତ ଦ୍ୱିଜ ପ୍ରବର

ଚଣ୍ଡୀ ଗୁଣିଲେ ଶାକ୍ତ ଦ୍ୱିଜ ସତ୍ୱର ।

ଶଙ୍କର ଶିଷ୍ୟ ବ୍ରହ୍ମଚାରୀ ବ୍ରାହ୍ମଣ

ନୃସିଂହ ମନ୍ତ୍ର କଲେ ପୁରଶ୍ଚରଣ ।

ଯୁବରାଜଙ୍କ ପାପ ଖଣ୍ଡନ ପାଇଁ

ଦେବାର୍ଚ୍ଚନ କରିଲେ ମନ ଲଗାଇ ।

ଶିବ ପୂଜାରେ ରତ ସ୍ୱୟଂ କୁମାର

ଆଶ୍ରିଲେ ଶିବ କରି ନୀର ଆହାର ।

ପାଇଲେ ବର ଫେରିଯିବେ ନବରେ

ନୋହିଲେ ପ୍ରାଣପାତ ଶିବ ପଦରେ ।

ଏକାଗ୍ର ଚିତ୍ତେ ଶିବ ଧ୍ୟାନେ ନିରତ

ରହିଲେ ଯୁବରାଜ ଧଇର୍ଯ୍ୟବନ୍ତ ।

ଧଇର୍ଯ୍ୟ ଏକାଗ୍ରତା ସାହସ ବଳେ

ଅସାଧ୍ୟ ସାଧ୍ୟ ହୁଏ ମହୀ ମଣ୍ଡଳେ ।

ଅଶିବ କୁମାରର ନାଶିବେ ଶିବ

ଅନ୍ଧାରେ ନବ ରବି କ୍ରମେ ଉଦିବ ।

Image

 

ସପ୍ତମ ସର୍ଗ

 

ଗଜପତି ଶାନ୍ତି ବାହିନୀ

ସେନାପତି ଗହଣେ

ଲଭି ରାଜାଦେଶ ଚଳିଲେ

ପୁର ପଲ୍ଲୀ ଭ୍ରମଣେ ।

ନବବଧୂ ପାଇ ବିରହ-

ବ୍ୟଥା ଯୁବ ଭାଗ୍ୟରେ

ଘଟିଲେ ତା’ମନ ବୁଡ଼ଇ

ଯଥା ଦୁଃଖ ସାଗରେ ।

ମାତା କୋଳ ତ୍ୟାଗେ ଶିଶୁର

ଯଥା ନବଳେ ମନ

କପିଳାସ କୋଳ ତେଜିବା

ଜାଣି ସର୍ବେ ବିଷଣ୍ଣ ।

ବିଷଣ୍ଣତା ଶୋଭା ନପାଏ

କେବେ ବୀର ଜାତକେ

କର୍ତ୍ତବ୍ୟ ଆହ୍ୱାନେ ଛେଦଇ

ସ୍ନେହ ଡୋରି କ୍ଷଣକେ ।

ସ୍ୱକର୍ମ ଆଦର୍ଶ ସକଳେ

ଧରି ନବ ବଳରେ

ଚଳିଲେ ସଧୀରେ ମଜାଇ

ଚିତ୍ତ ଗିରି କନ୍ଦରେ ।

ଗିରି ଗୁହା ସାଧୁ ଆଶ୍ରମ

ରମ୍ୟ ଭୀମ ଅରଣ୍ୟ

ଦୃଶ୍ୟ ଦେଖି ପଥେ କରନ୍ତି

ସର୍ବେ ଅବତରଣ ।

ରୋମନ୍ଥ କରନ୍ତି ହରିଣୀ

ଧରି ଶାବକଗଣ

କରିଯୂଥ ତୁଙ୍ଗ ଶିଖରେ

କରୁଥାନ୍ତି ଗର୍ଜ୍ଜନ ।

ସ୍ୱର୍ଣ୍ଣକାନ୍ତି-ଜିଣା ହଳଦି-

ବସନ୍ତର ଆହ୍ୱାନ

ଶୁଣି ଚୂତଡାଳେ କୋକିଳ

ବାଢ଼େ ପଞ୍ଚମତାନ ।

ମଧୁମୟ ବାଣୀ ସଙ୍ଗୀତ

ଅବା ଗିରି କନ୍ଦରେ

ବିଜନ ପ୍ରକୃତି ଜାଗ୍ରତ-

କରେ ଦିବ୍ୟଭାବରେ ।

ଶାନ୍ତିମୟୀ ଗିରି ନନ୍ଦିନୀ

ଝର ବିମଳ ଜଳ

କଳ କଳ ରବେ କହିଲା

ବୀରେ ଚଞ୍ଚଳ ଚଳ ।

ରାଜ୍ୟର ପରଜା ସକଳେ

ଅତ୍ୟାଚାରେ ପୀଡ଼ିତ

ଫେଡ଼ି ତାଙ୍କ ଦୁଃଖ କ୍ଷତ୍ରିୟ

ବୃତ୍ତି କର ପାଳିତ ।

ଗଜପତି ବଂଶ ଗୌରବ

ରବି ବଣ, ଅରଣ୍ୟ

ପାହାଡ଼ କେଦାରେ ବିତରୁ

ଶୁଭ୍ର ରଶ୍ମି ମୋହନ ।

ଦୀନ ପରଜାଏ ଦୁଃଖରେ

ରହି କାଟିଲେ କାଳ

କାମ୍ୟ ଭୋଗ୍ୟ ବସ୍ତୁ ହୋଇବ

ତାଙ୍କୁ ଆକାଶ ଫଳ ।

ପରାଧୀନ ପାଶ ଦେଶର

ଜନ ଗଳାରୁ କାଟି

ଦୂରେ ଫିଙ୍ଗି ଦେଲେ ହସିବ

ଏହି ଅରଣ୍ୟ ମାଟି ।

ଝରଣା ଝଙ୍କାର ଶବଦେ

ବୀର ହୃଦେ ଉତ୍ସାହ

ଝରଣା ଧାରା କି ପାଷାଣ

କ୍ଷେତ୍ରେ ହେଲା ପ୍ରବାହ ?

କପିଳାସ ତଳ ପ୍ରଦେଶେ

ଗଜପତିର ଜନ

ଜନପଦ ପୁରପଲ୍ଲୀରେ

କ୍ରମେ କଲେ ଭ୍ରମଣ ।

ଦିନେ ସେନାପତି ସଇନି

ସାଥେ ଚିତ୍ତ ମୋଦନେ

ରମ୍ୟ ଚୂତବନେ ବିଶ୍ରମି

ଛନ୍ତି ଶୋଭା ଦର୍ଶନେ ।

ସହସା ଅଇଲା ବୃଦ୍ଧେକ

ଯଷ୍ଟି ହାତରେ ଧରି

ଜରା ଆକ୍ରମଣେ ଅବଶ

ଦେହ ଉଠଇ ଥରି ।

କୁଞ୍ଚିତ ଲଲାଟେ ଫୁଟଇ

ଉଠି ଚିନ୍ତାର ଧାର

ଉଠି ସେନାପତି ଚଞ୍ଚଳେ

କଲେ ଯଥା ସତ୍କାର ।

ପୁଚ୍ଛିଲେ କୁଶଳ ବାରତା

କେଉଁ ଗ୍ରାମରେ ଘର ?

ଆମ୍ଭେ ଗଜପତି ରାଜାଙ୍କ

ପାରିଷଦ ମାତର ।

ଭାଷିଲା ସେ ବୃଦ୍ଧ ବାପା, ମୁଁ

ଗାଆଁ ଗଡ଼ନାୟକ

ପୂରୁବ ପୁରୁଷ ମୋହର

ଖୋରଧାର ପାଇକ ।

ଯୁଦ୍ଧ ବିଦ୍ୟା ଆମ୍ଭ କୁଳର

ପେଷା ଖଣ୍ଡା ସନ୍ତକ

ଅଇରି ପାଶରେ ଉନ୍ନତ

ସଦା ଥିଲା ମସ୍ତକ ।

ହାତେ ଧରି କୋଡ଼ି ଶାବଳ

ଭାଙ୍ଗି ପାହାଡ଼ମାଟି

କେଦାରରେ ଶସ୍ୟ ବଢ଼ାଇ

ତାକୁ ଯତନେ କାଟି,

କରି ପରିବାର ପୋଷଣ

ସେବା ଦେଶ ଦଶର

କାଟୁଥିଲେ କାଳ ପ୍ରଜାଏ

ଏହି ପୁର ପଲ୍ଲୀର ।

ଦେଖୁଛ ତ ବାପା, ପାହାଡ଼

ମାଳା ରାଜେ ସମ୍ମୁଖେ

ବନ୍ୟ ଜନ୍ତୁ ସାଥେ ଅଛନ୍ତି

ତହିଁ ବଣୁଆ ଲୋକେ ।

ନାହିଁ ତାଙ୍କ ଘର ଦୁଆର

ଥାନ୍ତି ପାହାଡ଼ ଖୋଲେ

ଲୋଟି ପର ଧନ ପୀଡ଼ନ୍ତି

ମୋର ପରଜାଳୁଳେ ।

ମୁଣ୍ଡ ଝାଳ ତୁଣ୍ଡେ ମାରିଣ

ସହି ଖରା ବରଷା

କ୍ଷେତରେ ଫସଲ ବଢ଼ାଇ

ଥାଏ ନିରୀହ ଚଷା ।

ଦଳେ ଦଳେ ଦସ୍ୟୁ ଶବର

ଏହି ପାହାଡ଼ୁ ଆସି

କାଟିନେଇ ଯାନ୍ତି ଫସଲ

ଚଷା ମୁଣ୍ଡ ଆଉଁଷି ।

କରମକୁ ଠୁଙ୍କି କୁଟୀରେ

କରେ କାଳଯାପନ

ଜଣେ ବୁଣେ, ଆନ ଦାଇବା

କେଉଁ ବିଧି ବିଧାନ ?

ଶୀଥିଳ ହେଲାଣି ରକତ

ହାତେ ନାହିଁ ମୋ ବଳ

ତେଣୁ ଚାଷୀକୁଳ ଦୁର୍ଦ୍ଦଶା-

ଗ୍ରସ୍ତ ଆଜି ସକଳ ।

ମରଣ ତ ମୋର ନିକଟ

ବାକି ରହିଲା ଆଶା

ଜଣେ କେହି ବୀର ଏ ଦେଶୁଁ

ଅଣ୍ଟା ଭିଡ଼ି ସହସା

ପାଦେ ଆଣି ଦସ୍ୟୁ ଶବର

ଗୋଟି ଗୋଟି ଖଟାନ୍ତା

ଶାନ୍ତିରେ ଅନ୍ତିମ ଜୀବନ-

ଦୀପ ତେବେ ଲିଭନ୍ତା ।

ଏତେ କହି ବୃଦ୍ଧ ନୟନୁ

ବହି ଗଲା ଲୋତକ

ଉତ୍ତର ଆଶାରେ ଚକ୍ଷୁର

ନ ପଡ଼ିଲା ପଲକ ।

ବୀର ମନ କଥା ବୀରକୁ

ଜଣା, ନ ବୁଝେ ଆନ

ଗୁଣ ଚିହ୍ନେ ଗୁଣୀ ବିଦ୍ୟାର

ଭାବ ବୁଝେ ବିଦ୍ୱାନ ।

ଚଞ୍ଚଳେ ଭାଷିଲେ ଯୁବକ

ଶୁଣ ଗଡ଼ନାୟକ

ଖଣ୍ଡା ଛୁଇଁ ପଣ କରୁଛି

କାଟି ଅରି ମସ୍ତକ,

ତବ ପଦ ଚଳେ ଥୋଇବି

ଗଜପତି ଆଦେଶ

ନ ରହିବ ଦସ୍ୟୁ ତସ୍କର

ଭୟ ଏ ଦେଶେ ଲେଶ ।

ରହିବେ ପ୍ରଜାଏ ଶାନ୍ତିରେ

ତାଙ୍କ ଧନ ସମ୍ପଦ

ଜୀବନ ଯୌବନ ସକଳ

ହେବ ଯେ ନିରାପଦ ।

ଅପଲକ ନେତ୍ରେ ବୃଦ୍ଧର

ଆଶା ଜ୍ୟୋତି ଖେଳିଲା

ତୃଷିତ ଚାତକ ମୁଖେ କି

ଘନ ଜଳ ଢାଳିଲା ।

ବିଭାସିଲା ମୁଖମଣ୍ଡଳେ

ଦିବ୍ୟ ଅମୀୟ ଜ୍ୟୋତି

ଚକିତେ ସେ ଜ୍ୟୋତି ହରିଲା

ବୃଦ୍ଧ ନୟନ ଦ୍ୟୁତି ।

ଭୂମି ପରେ ଢଳି ପଡ଼ିଲେ

ଗ୍ରାମ ଗଡ଼ନାୟକ

କୋଳ କରିନେଲେ ଯତନେ

ତାଙ୍କୁ ବୀର ଯୁବକ ।

ପିଣ୍ଡ ପିଞ୍ଜରାରୁ ଉଡ଼ିଲା

ଚାହୁଁ ପରାଣ କୀର

ହାହାକାର ରବେ ପୂରିଲା

ଗାଆଁ ଗଣ୍ଡା ଶିବିର ।

ବାଳ ବୃଦ୍ଧ ଯୁବା ଯୁବତି

ଏହି ବାରତା ପାଇ

କୂଳ ବୃଦ୍ଧ ପାଶେ ସହସା

ସର୍ବେ ଅଇଲେ ଧାଇଁ ।

ଆକୁଳେ ରୋଦିଲେ ବାହୁନି

ଗଡ଼ନାୟକ ଗୁଣ

ମଣିଥିଲେ ପର ଆପଣା

ତେଜି ଧନ ଜୀବନ ।

ସେନାପତି ସାଥେ ସରବେ

ମିଶି ଶବ ସଂସ୍କାର-

କ୍ରିୟା ଯଥାବିଧି ସାରିଲେ

ପୂଜ୍ୟ ବୃଦ୍ଧ ନେତାର ।

ଶିବିରକୁ ଦିନେ ରାଇଲେ

ଗାଆଁ ପରଜା ଜନ

ଗଡ଼ନାୟକର ଦାୟାଦେ,

‘ମୋର ଶୁଣ ବଚନ ।

ତୁମ୍ଭ ଅରି ଦସ୍ୟୁ ଶବର

ସଙ୍ଗେ କରିବା ରଣ

ଯାର ଅତ୍ୟାଚାରେ ବିପନ୍ନ

ତବ ଧନ ଜୀବନ ।

ଏବଣ ଖମଣେ ଅଛନ୍ତି

ଯେତେ ବନ୍ୟ ଶବର

ବନ୍ଦୀ କରି ଘେନି ଆସିବା

ସର୍ବେ ହୁଅ ତତ୍‌ପର ।

ଆଶାର ଉଲ୍ଲାସେ ମାତିଲେ

ପୁରବାସୀ ସକଳ

ଚିର ରୁଗ୍‌ଣ ଦେହେ ଉଦେ କି

ହେଲା ନବୀନ ବଳ ।

ପ୍ରବୀଣ ଭାଷିଲେ ସଂକଳ୍ପ

ସାଧୁ ଶୀଘ୍ର ସାଧନ୍ତୁ

ମସ୍ତକେ ସୁମନ ଦେବତା

ବରଷଣ କରନ୍ତୁ ।

ପାହାଡ଼ି ବର୍ବର ଶବର

ଯୁଦ୍ଧେ କରିବା ଜୟ

ବିଲଙ୍କା ରାଜାକୁ ଜିଣିବା

ଅତି ପ୍ରମାଦମୟ ।

ରାଜାକୁ ନ ଜିଣି ପରଜା

ମାରି ବୃଥା ଶରମ

ଆଚରିବା ସେନାପତି ହେ,

ନୁହେ ବୀର ଧରମ ।

କପିଳାସ ଗିରି ଶିଖରେ

ଶୋହେ ବିଲଙ୍କା ଗଡ଼

ତିନି ପାରୁଶ ତା ଦୁର୍ଭେଦ୍ୟ

ରାଜେ ତୁଙ୍ଗ ପାହାଡ଼ ।

ଗଡ଼ର ଦକ୍ଷିଣ ଦିଗରେ

ଶ୍ରେଣୀବଦ୍ଧ ପ୍ରସ୍ତର

ଶତ୍ରୁମୁଣ୍ଡ ଚୂନା କରିବା

ପାଇଁ ସଦା ତତ୍‌ପର ।

ସହସ୍ର ସେନାନୀ ପଥର

ଘାତେ ମୃତ୍ୟୁ ବରିଣ

ଅକ୍ଳେଶରେ ପ୍ରାଣ ହାରିବେ

ହେବେ ସୁନାମହୀନ ।

ତେଣୁ ଏ ଶବର ଦୁର୍ଦ୍ଧର୍ଷ,

ତାର ସଙ୍ଗରେ ରଣ

ନ ଜିଣି ପାରିଲେ ବିନାଶ

ମାତ୍ର ନିରୀହ ଜନ ।

ଶିବଭକ୍ତ ସେହି ଶବର

ଶିବେ ପୂର୍ଣ୍ଣ ବିଶ୍ୱାସ

ଶିବ ପୂଜକକୁ ନ ଦିଏ

କେବେ ତିଳେ ସେ ପ୍ରାସ ।

ଜାଣିଛି ମୁଁ ସେହି ଶବର

ରାଜା, ଲିଙ୍ଗ ପୂଜକ

ଦେଖିଲେ ତାହାର ସଂହାର-

ମୂର୍ତ୍ତି ଆସେ ଚମକ ।

ପୂର୍ବ ଗଜପତି ରାଜାଏ

ତାରେ ନ କର ବୈର

ଗଢ଼ିଛନ୍ତି ଶିବ ମନ୍ଦିର

କାଟି ଦୁର୍ଗମ ଶୈଳ ।

କେମନ୍ତେ ଲଢ଼ିବା ତା ସଙ୍ଗେ

ଲୋଡ଼ା ଆନ ବିଚାର

ଅଛନ୍ତି ତ କେତେ ପାଇକ

ବୀରବର ସର୍ଦ୍ଦାର ।

ସହସା ଭାଷିଲା ପ୍ରବୀଣ

ଆନ ସେନାପତିକି

ଅଙ୍ଗେ ଲିଭାଇବା କଥା ମୋ

ହେଜ ଶ୍ରୁତି ଡେରିକି ।

କେତେ ଖଣ୍ଡ ଯୁଦ୍ଧ କରିଛୁ

ବନ୍ୟ ଶବର ସାଥେ

କେତେ ଯେ ଶବର ବଧିଛି

ଏହି ନିଠୁର ହାତେ ।

ଧନୁଶର ଖଣ୍ଡା ବରଛା

ଧରି ଅଇରି ସଙ୍ଗେ

ଯୁଝିବା ଆମ୍ଭର ବିଳାସ

ରଚି ବିବିଧ ରଙ୍ଗେ ।

ଆଜି ହଟାଇଣ ଦେଲେ ସେ

କାହିଁ ପଳାଇଯାନ୍ତି

ଅକସ୍ମାତେ ପୁଣି କେତେକ

ଦିନପରେ ମିଳନ୍ତି ।

ଘରଦ୍ୱାର ଧନସମ୍ପଦ

ନାହିଁ ଲୁଟି ନେବାର

କେମନ୍ତେ ଯୁଦ୍ଧରେ ପରାସ୍ତ

ହେବେ ସେହି ଶବର ।

ଯୁଦ୍ଧେ କରି ବନ୍ଦୀ ଦଳକୁ

ଦଳ ପଲ୍ଲୀ ଶବର

ଗ୍ରାମେ ଗ୍ରାମେ ତାଙ୍କୁ ରଖିବା

ଦେଇ ଘର ଦୁଆର ।

କ୍ଷେତ ଚଷିବାକୁ ବିମୁଖ

ହେବେ ନାହିଁ ଶବରେ

କ୍ଷେତରେ ମାଲିକ ପୋଷିବେ

କ୍ଷେତ୍ର ଲବ୍‌ଧ ଧନରେ ।

ମେଣ୍ଟାଇବା ପାଇଁ ଉଦର-

ଜ୍ୱାଳା କ୍ଷେତୁଁ ଫସଲ

ହରିଥାନ୍ତି ସିନା ଶବରେ

ଚାଷୀକୁଳ ସମ୍ବଳ

ବିଲଙ୍କା ରାଜାର ପ୍ରଭାବେ

ଏହି ବଞ୍ଚକ ଦଳ

ପାହାଡ଼ କନ୍ଦର କୋଳକୁ

କରୁଥାନ୍ତି ଚହଳ ।

ବନ୍ୟ ଫଳମୂଳ ଆଦରେ

ଖାଇ ପ୍ରାଣ ଧାରଣ

କରି ବନ୍ୟଜନ୍ତୁ ଶିକାର

କାଟୁଥାନ୍ତି ଜୀବନ ।

ହାରିବା ଜିଣିବା ଦୁଇଟି

ତାଙ୍କ ପକ୍ଷେ ସମାନ,

ଅନୁଭବ ଯାହା ଜୀବନେ

ତାହା କଲି ବଖାଣ ।

ଯାବତ ବିଲଙ୍କା ଶବର

ବନ୍ଦୀ ନୋହିଛି ରଣେ

ତାବତ ରହିବା ଶାନ୍ତିରେ

ମୁହିଁ ସପନ ମଣେ ।

ବିଲଙ୍କା ରାଜାକୁ ବାନ୍ଧିବା

କରି କଳ କୌଶଳ

ପାହାଡ଼ିଆ ଯୁଦ୍ଧେ ନିପୁଣ

ଆମ୍ଭ ସୈନିକ ଦଳ ।

ଲୁଚି ଲୁଚି ଆମ୍ଭ ପାଇକ

ଥାଇ ଗଡ଼ ନିକଟେ

ନିଶୀଥେ ଶବର ଗଡ଼କୁ

ଆକ୍ରମିବେ ତଟସ୍ଥେ ।

ନିଷାଦ ରାଜାର ବିରାଟ

ପର୍ବ ଗହ୍ମାପୁନିଅ

ବିବିଧ ସମ୍ଭାରେ ପୂଜିବେ

ସର୍ବେ ଶବର ଦିଅଁ ।

ମଦ୍ୟମାଂସେ ରତ ହୋଇବେ

ରାଜା ପ୍ରଜା ସକଳ

ନୃତ୍ୟଗୀତ ତାନେ କରିବେ

ବନଭୂମି ମୁଖର ।

ପାଇ ଗୁପ୍ତଚର ସନ୍ଦେଶ

ଗୁପ୍ତ ଗଡ଼ ଦୁଆର

ଲଙ୍ଘି ଆକ୍ରମିବା ନିଶାରେ

ମତୁଆଲା ଶବର ।

ସଙ୍ଗେ ଥିବ ଶିଶୁ କାଠର

ହୁଳା ଜାଳି ଯତନେ

ଶବର ରାଜାକୁ ବାନ୍ଧିବା

ଆଗେ ଦୃଢ଼ ବନ୍ଧନେ ।

ବାଛି ବାଛି ଦଳପତିଙ୍କୁ

କଲେ ଶୃଙ୍ଖଳାବଦ୍ଧ

ପ୍ରମାଦ ଗଣିବେ ଶବରେ

ଛିନ୍ନ ହେବ ସମ୍ବନ୍ଧ ।

ପ୍ରବୀଣ ନିର୍ଦ୍ଦେଶେ ସଜ୍ଜିତ

ହେଲେ ଗ୍ରାମ ଯୁବକ

ଦିନ ରାତି ଶାଣ କରିଲେ

ଖଣ୍ଡା, ତୀର, ଫଳକ ।

କେଉଁ ବୀର ପ୍ରାଣପ୍ରିୟାକୁ

ମାଗେ ବିଦାୟ ଭିକ୍ଷା,

ସଲଜେ କା ବଧୂ ମଥାରେ

ମାରେ ବିଜୟ ଟୀକା ।

କା ଜନନୀ ପୁଅ ମଥାରେ

ବାନ୍ଧି ଦିଏ ପଗଡ଼ି

ପୁଅ ହାତେ ଅଶୀ କେ ଦିଏ

ଦୁର୍ଗା ଚରଣେ ପଡ଼ି ।

ଦେଖି ଏ ଜାତିର ବୀରତ୍ୱ-

ରୀତି ବୀର ଯୁବକ

ଯୁଦ୍ଧର ନାୟକ ହେବାକୁ

ହେଲା ପ୍ରାଣ ପୁଲକ ।

ନାନା ଦିଗୁ କପିଳାସର

ପଶି ଖୋଲ ଖମଣେ

ବଣୁଆ ଶବର ବାନ୍ଧିଲେ

ଚାହୁଁ ଚାହୁଁ ତକ୍ଷଣେ ।

ବନ୍ଦୀ କରି ଦଳ ଦଳକୁ

ଶିବିରକୁ ପଠାଇ

ଶବର ରାଜାର ସଇନ

ଦେଉଥାନ୍ତି କମାଇ ।

ପାହାଡ଼ି ରୀତିରେ ବଜାଇ

ବାଜା ଗିରି କମ୍ପାଇ

ବିଲଙ୍କା ଗଡ଼ର ନିକଟେ

ରାତ୍ରେ ମିଳିଲେ ଯାଇ ।

ବିଲଙ୍କା ଅଭେଦ୍ୟ ଦୁର୍ଗକୁ

ସହଜରେ ଘେରିଲେ,

ପ୍ରହରୀ ସକଳେ ନିଶାରେ

ମୁଣ୍ଡ ଟୁଙ୍ଗାରୁ ଥିଲେ ।

ସେନାପତିଙ୍କର ଇଙ୍ଗିତେ

ଶତ ଶତ କମାଣ

ଏକା ମୁହୂର୍ତ୍ତରେ ଫୁଟିଲା

କରି ଭୀମ ଗର୍ଜନ ।

ଗୋଟି ଗୋଟି ଢଳି ପଡ଼ିଲେ

ଯେତେ ପ୍ରହରୀ ସେନା,

ଦୁର୍ଗର ପ୍ରାଚୀର କମାଣ

ଘାତେ ହୋଇଲା ଚୂନା ।

ଅବଲୀଳା କ୍ରମେ ବିଲଙ୍କା

ଦୁର୍ଗେ କଲେ ପ୍ରବେଶ,

ଶବର ସେନାନୀ ଉଠିଲେ

କରି ନେତ୍ର ଉନ୍ମେଷ ।

ହେଲା ଖଣ୍ଡଯୁଦ୍ଧ ଢଳିଲେ

କେତେ ବୀର ଯୁବକ

ଭୂଲୁଣ୍ଠିତ ହେଲା ଶବର

ସେନାନୀର ମସ୍ତକ ।

ସେନାପତି ସାଥେ ବିଲଙ୍କା

ହେଲା ଯୁଦ୍ଧରେ ରତ

କ୍ଷତ ବ୍ୟାଘ୍ର ଅବା ଶିକାର

ଆକ୍ରମଣେ ଉଦ୍ୟତ ।

ତୀକ୍ଷ୍‌ଣ ତରବାରୀ ହସ୍ତରେ

ଉଭା ସେନାନାୟକ

ଗଜପତି ସେନାପତି ସେ

ଅନ୍ତକର ଅନ୍ତକ ।

ଆଦେଶିଲେ ରାଜା, ଚଞ୍ଚଳ

ତେଜ କୋଦଣ୍ଡ ଶର

ଅବଜ୍ଞା କରିଲେ ଲୁଣ୍ଠିତ

ହେବ ମୁଣ୍ଡ ତୋହର ।

ସହସା ଶୃଙ୍ଖଳେ ଆବଦ୍ଧ

ହେଲା ବିଲଙ୍କା ରାଜା,

ଗିରିଦରୀ ଭେଦି ଉଠିଲା

ଆର୍ଯ୍ୟ ବିଜୟ ବାଜା ।

ବିଜୟ ଗରବେ ପ୍ରମତ୍ତ

ସର୍ବେ ଜୟ ସଙ୍ଗୀତ

ଗାଇ ଗାଇ ଗିରି ଗହ୍ୱର

କଲେ ପ୍ରତିଧ୍ୱନିତ ।

ଶବର ନରେଶେ ଦେଖନ୍ତି

ଆସି ଦଳକୁ ଦଳ

ଦୁର୍ଦ୍ଦାନ୍ତ ବିଲଙ୍କା ବିକୃତ

ମୁଖ ନେତ୍ର ପିଙ୍ଗଳ ।

ବନ୍ଦୀଭାବ ଭୁଲି ଜନତା

ଦେଖି ଗର୍ଜି ଉଠଇ

ଶୃଙ୍ଖଳ ବନ୍ଧନ ଛିଣ୍ଡାଇ

ଅବା ଯିବ ପଳାଇ ।

ଶବର ରାଜନେ ପୁଛିଲେ

ସେନାପତି ସଧୀରେ

ବୃଥା ରୋଷ ତେଜ ବିଲଙ୍କା

ଶାନ୍ତ ହୁଅ ଅଚିରେ ।

ଦସ୍ୟୁବୃତ୍ତି ତବ ଜୀବିକା

ଧର୍ମ ତବ ଲୁଣ୍ଠନ

ପରରାଜ୍ୟ ପ୍ରଜା-ପୀଡ଼ନ

ନାମ ରାଜ୍ୟ ପାଳନ ?

ଅତ୍ୟାଚାରୀ ଦିନେ ଭୋଗଇ

ଅତ୍ୟାଚାରର ଫଳ

ସ୍ୱହସ୍ତ ରୋପିତ ବୃକ୍ଷର

ଫଳ କରେ କବଳ ।

ସଗର୍ବେ ଭାଷିଲା ଶବର

ରାଜା ଛାତି ଫୁଲାଇ

ବଞ୍ଚକ କହିଲ କାହାରେ

ମନେ ଭୟ କି ନାହିଁ ।

ବନ୍ଦୀ ତବ ପାଶେ ଶରୀର

କେବେ ନୁହେ ହୃଦୟ

ଦୁର୍ଦ୍ଦମ, ଦୁର୍ଦ୍ଧର୍ଷ ଶବର

ପୁଣି ଅତି ସଦୟ ।

ଆଦିମ ବସତି ଯାହାର

ଆଜି ସେ ବିତାଡ଼ିତ,

ରାଇଜର ସୁଖ ସମ୍ପତ୍ତି

ଠାରୁ ରାଜା ବଞ୍ଚିତ ।

ପରଦେଶୀ ପର ରାଇଜ

ତବ ଲୁଣ୍ଠନ ବ୍ରତ,

ପରଜା ପାଳନ ନାମରେ

ପର ପୀଡ଼ନେ ରତ ।

ଲୁଣ୍ଠନ ଧରମ ଆଚରି

ତୁମ୍ଭେ ବିଜୟୀବର,

ନିଜ ପ୍ରଜାହିତେ ରତ ଯେ

ସେ ବୋଲାଏ ତସ୍କର ।

ନିଜ ବାହୁବଳେ ପାହାଡ଼

ବଣ କାଟି ଯେ ଜାତି

ନିର୍ଜନ କାନ୍ତାରେ ରଚିଲା

ଆଗେ ଜନବସତି ।

ସଭ୍ୟତାର ଆଦି ଆଲୋକ

ଲାଭକଲା ଶବର

ଲିଙ୍ଗ ପୂଜି ଶିବ ଭଜିଲା

ସେହୁ ହେଲା ବର୍ବର !

ସର୍ବ ଧର୍ମ ବନ୍ଦ୍ୟ ଶବର

ଦେବ ନୀଳମାଧବ

ଶବର ଦୁହିତା ଲଳିତା

ବିଦ୍ୟାପତି ତା ଧବ ।

ବୈଦିକ ଆଦିମ ସଭ୍ୟତା

ହେଲା ମହାମିଳନ,

ମହାଭାବସ୍ରୋତ ଏଦେଶ

ସାରା କଲା ପ୍ଳାବନ ।

ଆର୍ଯ୍ୟ କୁଳ ଜାତ ହେ ସେନା

ପତି ଉଚ୍ଚ ଦୃଷ୍ଟିରେ

ସମଭାବେ ସର୍ବମାନବେ

ଦେଖ ଦିବ୍ୟ ରୀତିରେ ।

ବୀରତ୍ୱ ବେଭାରେ ବୀରକୁ

ବୀର କରେ ଆଦର,

ସେନାପତି କାହୁଁ ଜାଣିବ

ରାଜୋଚିତ ବେଭାର ।

ଶୃଙ୍ଖଳ ବନ୍ଧନ ପଶୁର

ଯୋଗ୍ୟ ନୁହେଁ ନରର

ହୃଦୟ ଜିଣିବା ବୀରର

ଧର୍ମ ହେଜ ମନର ।

ବିଶ୍ୱାବସୁ ହୃଦ ଆରାଧ୍ୟ

ଦେବ ଅପହରଣ,

କରିଛି ଯେ ଜାତି ସେ ଜାତି

ବୀର ତୁଣ୍ଡେ ନ ଭଣ ।

ଗଡ଼ଜାତ ରାଜ୍ୟେ ବିରାଜେ

ଆମ୍ଭ କୀର୍ତ୍ତି ଭାସ୍ୱର

ମୋ ନାମେ ନାମିତ

ଅଜେୟ ଦୁର୍ଗ ପାହାଡ଼ପର ।

ମୋ ଜାତିର ଢେଙ୍କା ସହିତେ

ଆର୍ଯ୍ୟ କରି ସମର

ସମ୍ମୁଖ ସଂଗ୍ରାମେ ଯୁଝିବା

ପାଇଁ ହେଲା କାତର ।

ଛଳ କଉଶଳେ ଢେଙ୍କାକୁ

ସିନା ରଣେ ଜିଣିଲା

ଢେଙ୍କାନାଳ ନାମ ଢେଙ୍କାର

ମହା କୀର୍ତ୍ତି ଘୋଷିଲା ।

ଦୁର୍ଦ୍ଦମ ଏ ଜାତି ଅଜ୍ଞାନ

ନୁହେ ଲେଶ ମାତର

ସରଳ ବିଶ୍ୱାସୀ ଅଟଳ-

ପ୍ରେମୀ ଦେବତା ଠାର ।

ହୃଦୟ ଆରାଧ୍ୟ ଦେବତା

ପ୍ରଭୁ ଚନ୍ଦ୍ରଶେଖର

ଭକ୍ତଜନ ଦୋଷ ନାଶନେ

ସଦା ସିନା ତତ୍ପର ।

ଅନଙ୍ଗଭୀମର କଠୋର

ତପେ ହୋଇ ପ୍ରସନ୍ନ

ବ୍ରହ୍ମ ହତ୍ୟା ଦୋଷ ଖଣ୍ଡନ

କଲେ ବୃଷବାହନ ।

ଚାଲ ତା ସମୀପେ ସକଳେ

ବନ୍ଦୀ ଦେଖାଉ ପଥ

ଗୁରୁ ଚିନ୍ତା ହେବ ଲାଘବ

ଲଭି ଶିବ ଭକତ ।

ସେନାପତିଙ୍କର ଆଦେଶେ

ବିଲଙ୍କାର ବନ୍ଧନ

ସସମ୍ମାନେ କଲେ ମୋଚନ

ଭାଲେ ଭସ୍ମ ଚନ୍ଦନ ।

ଲଗାଇଲେ ଅତି ଯତନେ

ବୀର ବିଷ୍ଣୁ ସାମନ୍ତ

ଚାହୁଁ ବୈର ଭାବ ଶାନ୍ତିରେ

ହେଲା ଯେ ପରିଣତ ।

ପୁରତେ ଚଳିଲା ବିଲଙ୍କା

ଅର୍ଦ୍ଧ ନଗ୍ନ ସୁନ୍ଦର

ସେନା-ନାୟକର ଗହଣେ

ଆର୍ଯ୍ୟ ସେନା ନିକର ।

ଅଗମ୍ୟ ଉତ୍ତୁଙ୍ଗ ପର୍ବତ

ପଥେ ଅବରୋହଣ

କରି ଧୀରେ ଧୀରେ ଚଳନ୍ତି

କ୍ଷଣେ ଉଲ୍ଲାସମନ ।

ଭୀଷଣ ଏ ବନ ଭାସ୍କର-

ରଶ୍ମି ଅପରିଚିତ

ବିଷଧର ଫଣୀ ଗର୍ଜନେ

ସେନାଶ୍ରେଣୀ ଚକିତ ।

ଶବର ରାଜନ ମନ୍ଦିର

ଧ୍ୱଜା କଲା ନିର୍ଦ୍ଦେଶ

ଶମ୍ଭୁ କଟକର ନିକଟେ

ସର୍ବେ କଲେ ପ୍ରବେଶ ।

ଦିବ୍ୟ ଭକ୍ତି ଭାବେ ଆପ୍ଳୁତ

ହେଲା ନୀରସ ଚିତ୍ତ

ଚିର ଦୁଃଖୀ ଅବା ଲଭିଲା

କାହୁଁ ଅମୂଲ୍ୟ ବିତ୍ତ ।

‘ଜୟ ଶିବ ଶମ୍ଭୁ ଶଙ୍କର

ଜୟ ଚନ୍ଦ୍ରଶେଖର

ଶବଦେ ଧ୍ୱନିତ ହୋଇଲା

କପିଳାସ କନ୍ଦର ।

ମନ୍ଦିର ପ୍ରାଙ୍ଗଣୁ ଅଇଲେ

ଧାଇଁ ଯୁବରାଜନ

ସେନାପତି ସାଥେ ଜନତା

ଦେଖି ଉତ୍ସୁକ ମନ ।

ଶିବ ପରସାଦେ ହୋଇଛି

ମନସ୍କାମ ପୂରଣ

ଦେଖି ସେନାପତି ଆନନ୍ଦ

କ୍ରମେ ହେଲା ବର୍ଦ୍ଧନ ।

ସେନାପତି ସାଥେ ସେନାନୀ

ଯଥା ବିଧି ବିଧାନେ

ନୁଆଇଁଲେ ମଥା ଉତ୍କଳ

ଗଜପତି ଚରଣେ ।

ଯୁଦ୍ଧର କାହାଣୀ ବର୍ଣ୍ଣନା

କରି ଦେଲେ ଦେଖାଇ

ସମ୍ମୁଖରେ ଉଭା ବିଲଙ୍କା

‘ଏହି ଶବର ସାଇଁ’ ।

ଶିବ ଭକ୍ତ ଏହି ଶବର

କାଲି କଲା ପ୍ରଚାର

‘ଶିବ ପରସନ୍ନ ହୋଇଲେ

ତୁମ୍ଭ ଯୁବରାଜର’ ।

ପୁଚ୍ଛିଲେ ରାଜନ ବିଲଙ୍କା,

କହ ଫେଡ଼ି ହୃଦୟ

ଯାହା ଇଚ୍ଛା ମାଗ ପୂରଣ

କରିବଇଁ ନିଶ୍ଚୟ ।

ସେବା ଭକ୍ତି ମୂଲ୍ୟେ କିଣିଛି

ତୁମ୍ଭେ ଚନ୍ଦ୍ରଶେଖର

ସରଳ ଭକତି ରସରେ

ସ୍ନିଗ୍ଧ ତବ ଅନ୍ତର ।

ବନବାସୀ ତୁମ୍ଭେ ସରଳ,

ଆମ୍ଭେ ନଗରବାସୀ

ଉଜ୍ଜ୍ୱଳ ସଭ୍ୟତା ଗଠନେ

ନିରନ୍ତର ପ୍ରୟାସୀ ।

ବହୁମୁଖୀ ଆର୍ଯ୍ୟସଭ୍ୟତା

ଗତି ଅତି ଉନ୍ନତ

ଜ୍ଞାନାଲୋକେ ଯାର ପ୍ରଦୀପ୍ତ

ହୁଏ ଜଡ଼ ଜଗତ ।

ବ୍ୟବହାର ବ୍ୟବଧାନରେ

ଜଣେ ନିନ୍ଦଇ ଆନ

ସତ୍ୟ ସାଧୁତାର ମହତ୍ତ୍ୱ

ସର୍ବ ସ୍ଥାନେ ସମାନ ।

ନିଅ ତବ ରାଜ୍ୟ ସୁଖରେ

ରହି ପରଜା ପାଳ

ଶମ୍ଭୁ କଟକରେ ଶାନ୍ତିରେ

ଯାପ ଅନ୍ତିମ କାଳ ।

ଭାବୀ ଗଜପତି ମୁକୁଟ-

ମଣି ମଧୁ ଭାଷଣ

ବିଲଙ୍କା ଅନ୍ତରେ ଜାଗ୍ରତ

କଲା ଦିବ୍ୟ ସ୍ପନ୍ଦନ ।

ଭକତି ଲୋତକେ ପୂରିତ

ହେଲା ବେନି ନୟନ

ଆନନ୍ଦେ ଭାଷିଲା, ‘ଶିଖରେ-

ଶ୍ୱର ଆଶ୍ରିତ ଜନ ।

ଧନ ଜନ ଲୋଡ଼ା ନ କରେ

ଆଉ ଏହି ଶବର

ମୋ ଜାତି ସେବକ ଶିବର

ଏହି ଲୋଡ଼ା ମାତର ।

ଶିବ ଚିନ୍ତା ଆମ୍ଭ ବରତ

ଚିନ୍ତାପତରୀ ନାମେ

ଖ୍ୟାତ ହୁଅନ୍ତୁ ଏ ଶଙ୍କର

ଏହି ଉତ୍କଳ ଧାମେ ।

ବିଲଙ୍କା ଶିବଙ୍କୁ ପୂଜିଲା,

ରାଜା ଶିବ ଦର୍ଶନ

କରି ବିଲଙ୍କାର କିଣିଲେ

କ୍ଷଣେ ହୃଦୟ ମନ ।

Image